ପାଟନା:ବିହାରରେ ଲଜ୍ଜା । ଜଣେ 13 ବର୍ଷୀୟା ନାବାଳିକାକୁ ଅପହରଣ କରି ଦୀର୍ଘ 28 ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ମୁଜାଫରପୁରରେ ଘଟିଛି । 6 ଜଣ ଅଭିଯୁକ୍ତ ଏପରି କାଣ୍ଡ କରିଥିବା ପୀଡିତାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।
ପୀଡିତାଙ୍କ ମା’ ସ୍ଥାନୀୟ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଜୁଲାଇ 9 ତାରିଖରେ ଏକ କାରରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଝିଅଙ୍କୁ ଅପହରଣ କରି ନେଇଯାଇଥିଲେ । ନାବାଳିକାଜଣଙ୍କର କୌଣସି ପତ୍ତା ନମିଳିବା ପରେ ମହିଳାଜଣଙ୍କ ସ୍ଥାନୀୟ ଥାନାରେ ଏକ ନିଖୋଜ ଏତଲା ମଧ୍ୟ ରୁଜୁ କରିଥିଲେ । ତେବେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଗଷ୍ଟ 5 ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କୁ କଲ ଆସିଥିଲା । ସାରାଇୟା ଚୌକରୁ ତାଙ୍କ ଝିଅଙ୍କୁ ନେଇ ଯିବାକୁ ମହିଳାଙ୍କୁ କହିଥିଲା ଦୁର୍ବୃତ୍ତ । ମହିଳାଜଣଙ୍କ ରାତି ପ୍ରାୟ 8 ଟାରେ ଘଟଣାସ୍ଥଳରେ ପହଞ୍ଚିବା ପରେ ଚେତାଶୂନ୍ୟ ଅବସ୍ଥାରେ ନିଜ ଝିଅକୁ ଉଦ୍ଧାର କରିଥିଲେ । ତାର ଅବସ୍ଥା ସଙ୍କଟାପନ୍ନ ମଧ୍ଯ ଥିଲା । ନାବାଳିକାଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ନାବାଳିକାଜଣଙ୍କ ନିଜ ମା’ଙ୍କୁ ଦେଇଥିବା ସୂଚନା ଅନୁସାରେ, ତାଙ୍କୁ ପ୍ରାୟ 6 ଜଣ ଅଭିଯୁକ୍ତ ଅପହରଣ କରିନେଇ ଏକ ପରିତ୍ୟକ୍ତ ଘରେ ରଖିଥିଲେ । ଦୀର୍ଘ 28 ଦିନ ଧରି ତା ସହ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ହତ୍ୟା ଧମକ ମଧ୍ୟ ଦେଇଥିଲେ । କ୍ରମଶଃ ତାର ସ୍ବାସ୍ଥ୍ଯାବସ୍ଥା ବିଗିଡିବା ପରେ ସେମାନେ ତାର ଘରକୁ ଫୋନ କରି ନାବାଳିକାକୁ ନେଇଯିବାକୁ କହିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ସେହି ସ୍ଥାନରେ ଛାଡିଦେଇ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।