ଶ୍ରୀନଗର: ଜମ୍ମୁ କାଶ୍ମୀରର ପାମ୍ପୋର ଏନକାଉଣ୍ଟରରେ ପୁଣି ଭାରତୀୟ ସୁରକ୍ଷା ବଳକୁ ସଫଳତା । ଆଜି (ଶନିବାର) ଜାରି ରହିଥିବା ଏନକାଉଣ୍ଟରରେ ଲସ୍କର-ଇ-ତୋଏବା (LET)ର 2 ଆତଙ୍କବାଦୀ ନିପାତ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏହି ସ୍ପେଶାଲ ଏପରେସନରେ ୯ ଏନକାଉଣ୍ଟରରେ ୧୩ ଆତଙ୍କୀ ସଫା ହୋଇଥିବା କାଶ୍ମୀର ଆଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।
ଆଜି ନିହତ ଦୁଇ ଆତଙ୍କୀ ହେଲେ ଉମର ମୁସ୍ତାକ୍ ଖଣ୍ଡେ ଏବଂ ସହିଦ ବାସିର । ଉଭୟ ଆତଙ୍କୀ ସଂଗଠନ LET ର ସକ୍ରିୟ ସଦସ୍ୟ ହୋଇଥିବାବେଳେ ଘାଟିରେ ସାଧାରଣ ନାଗରିକଙ୍କ ହତ୍ୟାରେ ମଧ୍ୟ ପ୍ରତ୍ୟେକ୍ଷ ସାମିଲ ଥିଲେ । ଶ୍ରୀନଗର ସହରରେ ଗତ ସପ୍ତାହ ମଧ୍ୟରେ ଆତଙ୍କ ଖେଳାଇଥିବା ୫ ଆତଙ୍କୀଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ନିପାତ କରିବାରେ ସେନା ସଫଳ ହୋଇଥିବା କାଶ୍ମୀର ପୋଲିସ କହିଛି ।
ଗତ ସପ୍ତାହରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପରେ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା ସେନା । ଏହି ଅପରେସନରେ ଶ୍ରୀନଗର ଓ ଆଖପାଖ ଅଞ୍ଚଳରେ ମୋଟ ୯ ଥର ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା ।