ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ କୃଷକ ପରିବାରରେ ବିବାହ ଉତ୍ସବ ଚାଲିଥିଲା । ହେଲେ କୋରୋନାର କଳା ନଜର ଲାଗି ଯାଇଥିଲା ସେହି ପରିବାର ଉପରେ । ପରିବାରର 13 ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ । ଯାହାମଧ୍ୟରେ ଜଣେ 7 ବର୍ଷୀୟ ଛୋଟ ଝିଅ ମଧ୍ୟ ଥିଲା । ମାତ୍ର ସଚେତନତା ଓ ଘରେ ରହି ଉପଯୁକ୍ତ ଚିକିତ୍ସା ନେବା ପରେ ସମସ୍ତ ସଂକ୍ରମିତ କୋରୋନାକୁ ମାତ୍ ଦେଇଛନ୍ତି । ସେହି ପରିବାରର ସମସ୍ତ ସଦସ୍ୟ ଏବେ ସମ୍ପୂର୍ଣ୍ଣ ସୁସ୍ଥ ।
ଏହି ଘଟଣାଟି ହେଉଛି ଉତ୍ତର କନ୍ନଡ ଜିଲ୍ଲା ଅନ୍ତର୍ଗତ ସିଦାର ତାଲୁକ ଅଞ୍ଚଳର । ଦତ୍ତାତ୍ରେୟ ବୀରା ଗୋୱଡା ନାମକ ଜଣେ କୃଷକଙ୍କ ପରିବାରରେ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିଲା । ସେହି ସମୟରେ ପରିବାର କିଛି ସଦସ୍ୟଙ୍କୁ ଜ୍ବର ହୋଇଥିଲା । ମାତ୍ର ବିବାହ ପ୍ରସ୍ତୁତି ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ । କିନ୍ତୁ କିଛି ଦିନ ପରେ ମଧ୍ୟ ଜ୍ବର କମି ନଥିଲା । ଫଳରେ ତିନି ସଦସ୍ୟ ନିଜର କୋଭିଡ ଟେଷ୍ଟ କରାଇଥିଲେ ଏବଂ ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ । ପରେ ପରିବାରର ସମସ୍ତ ସଦସ୍ୟ ନିଜର ଟେଷ୍ଟ କରିଥିଲେ । ସମସ୍ତେ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଥିଲେ । ଏହାପରେ ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରି ଘରେ ରହି ମେଡିସିନ ଖାଇ ଚିକିତ୍ସିତ ହୋଇଥିଲେ । ବର୍ତ୍ତମାନ ପରିବାରର ସମସ୍ତ ସଦସ୍ୟ କୋରୋନା ମୁକ୍ତ ଅଟନ୍ତି । ବଡ କଥା ହେଉଛି, ସେମାନେ ସମସ୍ତେ ଗୋଟିଏ ସପ୍ତାହ ମଧ୍ୟ ସୁସ୍ଥ ହୋଇପାରିଛନ୍ତି । ଆଜି(ଗୁରୁବାର) ଅନୁଷ୍ଠିତ ହେବାକୁ ଥିବା ବିବାହ ମଧ୍ୟ ସ୍ଥଗିତ ରଖାଯାଇଛି ।