ଡେରାଡୁନ: ଉତ୍ତରାଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହେଲା ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍ । ଏଥିରେ ୧୨ଜଣ ଆଇଟିବିପି ଯବାନ ଆହତ ହୋଇଥିବା ସୂଚନା ମିଳିଛି (12 ITBP jawans injured in road accident)। ଆଜି (ଗୁରୁବାର) ସକାଳେ ଉତ୍ତରାଖଣ୍ଡର ତାନକପୁର-ଚମ୍ପାବତ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଇଣ୍ଡୋ ତିବ୍ବତ ବର୍ଡର ପୋଲିସର (ITBP) ୧୪ ବାଟାଲିୟନର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପିଥୋରାଗଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡିଥିଲା ।
ବସ୍ରେ ୧୨ ଜଣ ଯବାନ ଯାତ୍ରା କରୁଥିଲେ, ସେମାନଙ୍କ ମଧ୍ୟରୁ ତିନିଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯବାନମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ମଧ୍ୟ ସୂଚନା ମିଳିଛି । ବସ୍ଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବାବେଳେ, ଘାଟି ରାସ୍ତାରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥବା ସନ୍ଦେହ କରାଯାଉଛି ।
କିନ୍ତୁ ଏହା ଖାଇକୁ ଖସିବା ପରିବର୍ତ୍ତେ ଏକ ଗଛରେ ଧକ୍କା ଖାଇ ଅଟକି ରହିଥିଲା । ଫଳରେ ଏକ ବଡ ଦୁର୍ଘଟଣା ଟଳିଛି । ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତ ଯବାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଥିଲା । ହସ୍ପିଟାଲରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା । ଅଗଷ୍ଟ ୧୭ ତାରିଖରେ ଜାମ୍ମୁ କାଶ୍ମୀରରେ ନଦୀକୁ ଖସି ପଡିଥିଲା ଏକ ସେନା ବସ୍ (ITBP van accident)।