ନୂଆଦିଲ୍ଲୀ:ଦେଶରେ ମୋଟ ୧୦୭ ସାସଂଦ ଓ ବିଧାୟକଙ୍କ ନାମରେ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ବା ହେଟସ୍ପିଚ ମାମଲା ରହିଛି । ଏଥିମଧ୍ୟରୁ ସର୍ବାଧିକ ନେତା କେନ୍ଦ୍ରରେ ଓ ଏକାଧିକ ରାଜ୍ୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ସଦସ୍ୟ । ସେହିପରି ଗତ ନିର୍ବାଚନ ଲଢିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମୋଟ ୪୮୦ ଜଣଙ୍କ ନାମରେ ଏହି ସଂକ୍ରାନ୍ତୀୟ ମାମଲା ଥିବା ସେମାନେ ସେମାନଙ୍କ ଦାଖଲ ସତ୍ୟପାଠରେ ଉଲ୍ଲେଖ କରିଥିଲେ । ଆଜି ପ୍ରକାଶିତ ଏଡିଆର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଦିଲ୍ଲୀର ଆସୋସିଏସନ ଅଫ୍ ଡେମୋକ୍ରାଟିକ ରିଫର୍ମ (ADR) ଓ ନ୍ୟାସନାଲ ଇଲେକ୍ସନ୍ ଓ୍ବାଚ୍ ମିଳିତ ଭାବେ ପ୍ରକାଶ କରିଥିବା ଏହି ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ଯେ, ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋଟ ୧୦୭ ଜନପ୍ରତିନିଧି ଏହି ମାମଲାର ପରିସରଭୁକ୍ତ ଅଛନ୍ତି ।
ଗତ ନିର୍ବାଚନରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ମୋଟ 4,768 ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ରରେ ଦାଖଲ କରିଥିବା ତଥ୍ୟକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏହି ଅଧ୍ୟୟନ ମଧ୍ୟରେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ନିର୍ବାଚନରେ ପରାସ୍ତ ହୋଇଥିବା ପ୍ରାର୍ଥୀ ମଧ୍ୟ ରହିଛନ୍ତି । ତେବେ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ମୋଟ ୧୦୭ ଜଣ ଏପରି ମାମଲାରେ ରହିଛନ୍ତି । ସର୍ବାଧିକ ସଂଖ୍ୟା ଭାରତୀୟ ଜନତା ପାର୍ଟିର ନେତାଙ୍କର ରହିଛି । ଏମାନଙ୍କ ମଧ୍ୟରେ ମୋଟ ୩୩ ସାଂସଦ ଓ ୭୪ ବିଧାୟକ ରହିଛନ୍ତି ।