ହାଇଦ୍ରାବାଦ:ଆଜି କୃଷକ ଆନ୍ଦୋଳନକୁ ପୁରିଛି ପୁରା 100 ଦିନ । କେନ୍ଦ୍ର କୃଷି ଆଇନ ବିରୋଧୀ ଏହି ଆନ୍ଦୋଳନ ନଭେମ୍ବର 26 ତାରିଖରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜଧାନୀ ଦିଲ୍ଲୀ ଅଭିମୁଖେ ଛୁଟିଥିଲା ଟ୍ରାକ୍ଟର ରାଲି । ବିପୁଳ ସୁରକ୍ଷାକର୍ମୀ ମୁତୟନ, ବ୍ୟାରିକେଟ, ଲୁହବୁହା ଗ୍ୟାସ, ଥର ଥର ଶୀତ ଏବଂ ଶକ୍ତଲାଠି ଚାର୍ଜକୁ ସହ୍ୟ କରି ଦିଲ୍ଲୀ ବର୍ଡରରେ ପହଞ୍ଚିଥିଲେ ଆନ୍ଦୋଳନମୁଖା କୃଷକ ଏବଂ ସେଠାରେ ନୂତନ କୃଷି ଆଇନକୁ କରାଯାଇଥିଲା ଜୋରଦାର ବିରୋଧ । ଯେଉଁଥିରେ ଅନେକ କୃଷକ ମଧ୍ୟ ଆଖି ବୁଜିଥିଲେ । କିପରି ଥିଲା ଏହି ସମ୍ପୂର୍ଣ୍ଣ ଘଟଣା, ଜାଣନ୍ତୁ...
କୃଷକ ମୋର୍ଚ୍ଚା ଗଠନ:
ପ୍ରଶାସନର ପ୍ରବଳ ବିରୋଧ ସତ୍ତ୍ବେ କୃଷକମାନେ ନିଜର ପ୍ରଥମ କୃଷକ ମୋର୍ଚ୍ଚା ଗଠନ କରିଥିଲେ । ପ୍ରାରମ୍ଭିକ ସ୍ତରରେ ଏହା ପଞ୍ଜାବ ଓ ହରିୟାଣାର ତିନିରୁ ଚାରି ଲକ୍ଷ କୃଷକଙ୍କ ନେଇ ଗଠିତ ହୋଇଥିଲା । ଅତି ସ୍ବଳ୍ପ ଅବଧି ମଧ୍ୟରେ ଏହି ଆନ୍ଦୋଳନଟି ସମ୍ପୂର୍ଣ୍ଣ ଦେଶ ସମେତ ବିଶ୍ବକୁ ବ୍ୟାପିଥିଲା । ଆନ୍ଦୋଳନ ଆରମ୍ଭର ମାତ୍ର ଦୁଇ ତିନି ସପ୍ତାହ ପରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରୁ ଏହାକୁ ବିପୁଳ ଜନ ସମର୍ଥନ ମିଳିଥିଲା ଏବଂ ଏହା ଟିକ୍ରି ଆଉ ଗାଜିପୁରରେ ଦୁଇଟି ବଡ ଆନ୍ଦୋଳକୁ ଜନ୍ମ ଦେଇଥିଲା । ସେହିପରି ସାହରାନପୁରରେ ମଧ୍ୟ ଏହା ଏକ ଆନ୍ଦୋଳନର ସୁତ୍ରପାତ କରିଥିଲା ।
ସଂୟୁକ୍ତ କିଷାନ ମୋର୍ଚ୍ଚାର ସୁତ୍ରପାତ:
ସରକାରଙ୍କ ସହ କୃଷକ ସଙ୍ଗଠନଗୁଡିକର ବୁଝାମଣା ପୂର୍ବରୁ ସେମାନେ 40ଟି ଭିନ୍ନ କୃଷକ ସଙ୍ଘ ନେତାଙ୍କୁ ନେଇ ସଂୟୁକ୍ତ କିଷାନ ମୋର୍ଚ୍ଚା ସଙ୍ଗଠନ ଗଢିଥିଲେ । ପରେ ସରକାରଙ୍କ ପ୍ରସ୍ତାବ ସ୍ବୀକାର କରି ମାତ୍ର ମୋର୍ଚ୍ଚାର 30 ଜଣ ନେତାଙ୍କୁ ନେଇ ଆଲୋଚନା କରାଯାଇଥିଲା । ପ୍ରଥମ ଦିନରୁ ହିଁ ଏହି ଆଲୋଚନା ବୈଠକରେ କୌଣସି ରାଜନୈତିକ ହସ୍ତକ୍ଷେପ ନ ହେବାକୁ ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
ଦେଶବ୍ୟାପୀ ତୀବ୍ର ହୋଇଥିଲା ଅନ୍ଦୋଳନ ଶିଖା:
ଏହି କୃଷକ ଆନ୍ଦୋଳନକୁ ପଞ୍ଜାବ ଓ ହରିୟାଣାର ଲକ୍ଷ ଲକ୍ଷ ମହିଳା ସମର୍ଥନ କରି ଆଗେଇ ଆସିଥିଲେ । ଏପରିକି ସଂୟୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମହିଳା କୃଷକ ନେତାଙ୍କୁ ସାମିଲ କରାଯାଇ ଆନ୍ଦୋଳନକୁ ବ୍ୟାପକ କରାଯାଇଥିଲା । ଇତିମଧ୍ୟରେ ପଶ୍ଚିମ ଓ ଦକ୍ଷିଣ ଭାରତ ବା ମୁଖ୍ୟତଃ ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ, ତାମିଲନାଡୁ, ମହାରାଷ୍ଟ୍ର ଏବଂ କେରଳରୁ ପ୍ରାୟ 10 ହଜାର 800 କୃଷକ ସିଙ୍ଘୁ ବର୍ଡରରେ ପହଞ୍ଚିଥିଲେ ।
କେନ୍ଦ୍ର ସରକାର ଏବଂ ସଂୟୁକ୍ତ କୃଷକ ମୋର୍ଚ୍ଚା ମଧ୍ୟରେ ଆଲୋଚନା:
ନୂତନ କୃଷି ଆଇନ ବିରୋଧୀ ଏହି କୃଷକ ଆନ୍ଦୋଳନର ସମାଧାନ କେନ୍ଦ୍ର ଓ କୃଷକ ମଧ୍ୟରେ 11ଟି ବୈଠକ କରାଯାଇଥିଲା । ଏଥିରେ ସରକାର କୃଷକଙ୍କ ଦୁଇଟି ଦାବିକୁ ମାନି ନେଇଥିଲେ ମଧ୍ୟ ସେମାନଙ୍କ ମୁଖ୍ୟ ଦାବି କୃଷି ଆଇନ ପ୍ରତ୍ୟାହାରକୁ ଗ୍ରହଣ କରିନଥିଲେ । ଏଥିସହ ଅନେକ ସମୟରେ କେନ୍ଦ୍ର ପକ୍ଷରୁ ବୁଝାମଣା ପାଇଁ ପାଞ୍ଚ ଜଣିଆ କମିଟି ଗଠନ ପାଇଁ ସୁପାରିଶ ହୋଇଥିଲା । ହେଲେ ଆମେ ଏହି କମିଟି ସଦସ୍ୟଙ୍କ ଉପରେ ବିଶ୍ବାସ କରିପାରିବୁ ନାହିଁ ବୋଲି କହି କିଷାନ ମୋର୍ଚ୍ଚା ସୁପାରିଶକୁ ପ୍ରତ୍ୟାଖାନ କରିଥିଲେ । ଶେଷରେ ଏହି କୃଷି ଆଇନକୁ ମାତ୍ର 18 ମାସ ଯାଏଁ କାର୍ଯ୍ୟକାରୀ କରିବାକୁ ଏବଂ ଗୁଜବକୁ ଏଡାଇବାକୁ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ମାତ୍ର ଏହାକୁ ବି ପ୍ରତ୍ୟାଖାନ କରିଥିଲା ସଂୟୁକ୍ତ କୃଷକ ମୋର୍ଚ୍ଚା ।
ଆନ୍ଦୋଳନରେ ଭାରତୀୟ ଗଣମାଧ୍ୟମର ଭୂମିକା:
ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବିଚ୍ୟୁତ କରିବା ଦିଗରେ ଭାରତୀୟ ଗଣମାଧ୍ୟମଗୁଡିକ ଯଥାସମ୍ଭବ ପ୍ରଚେଷ୍ଟା କରିଛନ୍ତି । ଏପରିକି କିଛି ଗଣମାଧ୍ୟମ କୃଷକଙ୍କୁ ଆତଙ୍କୀର ଆଖ୍ୟା ମଧ୍ୟ ଦେଇଥିଲେ । ପ୍ରଥମ ଥର ପାଇଁ ଭାରତ ବିରୋଧ ଇତିହାସରେ ଯେତେବେଳେ ଗଣମାଧ୍ୟମଗୁଡିକ ନିର୍ବାଚିତ ସରକାରଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ସ୍ଥିର କଲେ, ସେତେବେଳେ ଆନ୍ଦୋଳନକାରୀମାନେ ନିଜର ଖବରକାଗଜ ଆରମ୍ଭ କରିଥିଲେ ଏବଂ ବାସ୍ତବରେ ଘଟଣାସ୍ଥଳରେ କଣ ଘଟୁଛି ସେ ସମ୍ପର୍କରେ ଜନସାଧାରଣ ଓ କୃଷକମାନଙ୍କୁ ଜଣାଇଥିଲେ । ଯାହାର ନାଁ ଥିଲା ଟ୍ରୋଲି ଟାଇମ୍ସ । ତେବେ ଖବରକାଗଜଟି ଆନ୍ଦୋଳନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲା । ଟ୍ରୋଲି ଟାଇମ୍ସର ଗୋଟିଏ କପିର ମୁଲ୍ୟ 5 ଟଙ୍କା ସ୍ଥିରୀକୃତ ହୋଇଥିଲା ଏବଂ ପ୍ରଥମ ଦିନରେ ହିଁ ଏହାର 2 ହଜାର କପି ବଣ୍ଟନ ହୋଇପାରିଥିଲା । ସେହିପରି ନିଜର ଅଫିସିଆଲ ପେଜ ତିଆରି କରି ସଂୟୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ଡିଜିଟାଲଜେସନ କରିବା ସହ ଏହା ମାଧ୍ୟମରେ ଅଭିଯାନ ମଧ୍ୟ ଚଳାଇଥିଲା ।