ନୂଆଦିଲ୍ଲୀ:ସାରା ଦେଶକୁ ଦୋହଲାଇଦେଇଥିବା ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ଆଜି ପୁରିଛି ୧୦ବର୍ଷ (10 years of Nirbhaya Case)। ଆଜି ଦିନରେ ପୀଡ଼ିତାଙ୍କୁ ବସରେ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ନା କେବଳ ପୋଲିସର ତଦନ୍ତ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଥିଲା, ବରଂ ଫରେନସିକ ପ୍ରମାଣ ଶେଷରେ ହତ୍ୟାକାରୀଙ୍କୁ ଫାଶୀଖୁଣ୍ଟ ନିକଟରେ ଠିଆ କରିଥିଲା । ନିର୍ଭୟା ଘଟଣା ଦେଶର ପ୍ରଥମ ମାମଲା ଥିଲା ଯେଉଁଥିରେ ୧୬୪ ଜଣଙ୍କର ବୟାନ ରେକର୍ଡ କରାଯାଇଥିଲା । ହେଲେ ଏସବୁ ପରେ ମଧ୍ୟ ଚେତିନି ଅପରାଧୀ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ଦିଲ୍ଲୀରେ ଗତବର୍ଷ ପ୍ରତିଦିନ ୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଥିବା ବେଳେ ଦିଲ୍ଲୀ ଦେଶରେ ଅସୁରକ୍ଷିତ ସହର ତାଲିକାରେ ପ୍ରଥମରେ ରହିଲା ୨୦୨୧ରେ ମହିଳା ବିରୋଧୀ ଅପରାଧ ୧୩,୮୯୩ ରହିଥିବା ବେଳେ ୨୦୨୦ରେ ଏହା ୯୭୮୩ ରହିଥିଲା । କହିବାକୁ ଗଲେ ଅପରାଧ କମିବା ବଦଳରେ ବଢିଥିଲା ।
ନିର୍ଭୟା ଘଟଣାକୁ ୧୦ ବର୍ଷ ପୁରିଥିବା ପୀଡ଼ିତାଙ୍କ ମା' (Nirbhaya's mother on Delhi Crime)କହିଛନ୍ତି, "ଦୋଷୀଙ୍କୁ ଦଣ୍ଡିତ କରିବା ଲାଗି ତାଙ୍କୁ ୮ବର୍ଷ ପର୍ଯ୍ୟନ୍ତ କୋର୍ଟ କଚେରୀ ଦୌଡ଼ିବାକୁ ପଡିଥିଲା, ଏହାପରେ ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳିଥିଲା । ଆଜି ବି ଦେଶରେ ଦୁଷ୍କର୍ମ ଘଟଣା ଘଟୁଥିବା ବେଳେ ଏପରି କେତେ ମାଆ ଓ ସମ୍ପର୍କୀୟଙ୍କୁ ନ୍ୟାୟ ପାଇଁ ସଂଘର୍ଷ କରିବାକୁ ପଡୁଛି । ମହିଳାଙ୍କ ସହିତ ଏପରି ଅପରାଧିକ କାଣ୍ଡ ଘଟାଇ ଅନେକ ଅପରାଧୀ ବାହାରେ ବୁଲୁଛନ୍ତି । ଯାହାକି ଦେଶର ମହିଳାଙ୍କ ପାଇଁ ବିପଦ । ମାତ୍ର ଆମ ଦେଶରେ ଏପରି ବ୍ୟବସ୍ଥା ରହିଛି ଯେ ଯେଉଁ ଦଣ୍ଡ ଅପରାଧୀ ଭୋଗିବା କଥା ତାହା ପୀଡିତାର ପରିବାର ଭୋଗୁଛନ୍ତି । ନିର୍ଭୟା ମାମଲାରେ ମଧ୍ୟ ଅନେକ ଥର ଫାଶୀ ଦଣ୍ଡକୁ ଟାଳି ଦିଆଯାଇଥିଲା । ମାତ୍ର ଏକାଧିକ ପ୍ରମାଣ ଦେବା ପରେ ଶେଷରେ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଆମ ନ୍ୟାୟ ବ୍ୟବସ୍ଥାର ଆହୁରି ଉନ୍ନତି ହେବା ଆବଶ୍ୟକ ।"
ନ୍ୟାୟ ପାଇଁ ଦୀର୍ଘ ୮ବର୍ଷର ସଂଘର୍ଷ(Timeline of Nirbhaya Case):-
୨୦୧୨ ଡିସେମ୍ବର ୧୬ ତାରିଖରେ ଦେଶରେ ଏହି ଛାତିଥରା ଘଟଣା ଘଟିଥିଲା । ରାଜଧାନୀ ଛାତି ଉପରେ ଗଡ଼ୁଥିବା ବସ୍ରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ୬ ଜଣ ଗଣଦୁଷ୍କର୍ମ କରିଥିଲେ । ଅପରାଧର ସମସ୍ତ ସୀମା ପାର କରିଥିଲେ ଏହି ମନୁଷ୍ୟ ରୂପୀ ରାକ୍ଷସ । ଏହି ଘଟଣାଟି ଦିଲ୍ଲୀ ସମେତ ସାରା ଦେଶକୁ ଦୋହଲାଇ ଦେଇଥିଲା । ଆଜି ଏହି ଦୁଃଖଦାୟକ ଘଟଣାକୁ ୧୦ ବର୍ଷ ପୁରିଥିବା ବେଳେ ଜାଣନ୍ତୁ ମାମଲାର ଟାଇମଲାଇନ୍ ।
- ଡିସେମ୍ବର ୧୬, ୨୦୧୨ - ଚଳନ୍ତା ବସ୍ରେ ନାବାଳିକା ନିର୍ଭୟାଙ୍କୁ ୬ ଜଣ ଗଣଦୁଷ୍କର୍ମ କରିଥିଲେ ।
- ଡିସେମ୍ବର ୧୮, ୨୦୧୨ - ଏହି ମାମଲାରେ ଦିଲ୍ଲୀ ପୋଲିସ ୪ ଅଭିଯୁକ୍ତ ରାମ ସିଂ, ମୁକେଶ, ବିନୟ ଶର୍ମା ଏବଂ ପୱନ ଗୁପ୍ତାଙ୍କୁ ଗିରଫ କରିଥିଲା।
- ଡିସେମ୍ବର ୨୧, ୨୦୧୨ - ନାବାଳକ ଅଭିଯୁକ୍ତ ଆନନ୍ଦ ବିହାର ବସଷ୍ଟାଣ୍ଡରୁ ଧରାପଡିଥିଲା ।
- ଡିସେମ୍ବର ୨୨, ୨୦୧୨ - ଷଷ୍ଠ ଅଭିଯୁକ୍ତ ଅକ୍ଷୟ ଠାକୁର ବିହାରରୁ ଗିରଫ ହୋଇଥିଲା ।
- ଡିସେମ୍ବର ୨୯, ୨୦୧୨ - ଚିକିତ୍ସା ସମୟରେ ନିର୍ଭୟା ସିଙ୍ଗାପୁରର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ।
- ଜାନୁଆରୀ ୩, ୨୦୧୩ - ହତ୍ୟା, ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ, ଅପହରଣ ଏବଂ ଡକାୟତି ପାଇଁ ୫ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏକ ଚାର୍ଜସିଟ୍ ଦାଖଲ କରିଥିଲା ।
- ଜାନୁଆରୀ ୧୭, ୨୦୧୩ - ଫାଷ୍ଟଟ୍ରାକ୍ କୋର୍ଟ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।
- ମାର୍ଚ୍ଚ ୧୧, ୨୦୧୩ - ଅଭିଯୁକ୍ତ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା ।
- ଅକ୍ଟୋବର ୩୧, ୨୦୧୩ - ଜୁଭେନାଇଲ ବୋର୍ଡ ଅଭିଯୁକ୍ତ ନାବାଳକକୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା ।
- ସେପ୍ଟେମ୍ବର ୧୦, ୨୦୧୩ - ଫାଷ୍ଟଟ୍ରାକ କୋର୍ଟ ୪ ଅଭିଯୁକ୍ତ ମୁକେଶ, ବିନୟ, ପୱନ ଏବଂ ଅକ୍ଷୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
- ସେପ୍ଟେମ୍ବର ୧୩, ୨୦୧୩- କୋର୍ଟ ଏହି ୪ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ।
- ମାର୍ଚ୍ଚ ୧୩, ୨୦୧୪ - ଦିଲ୍ଲୀ ହାଇକୋର୍ଟ ଏହି ୪ ଜଣ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ ।
- ମାର୍ଚ୍ଚ ୧୫, ୨୦୧୪ - ସୁପ୍ରିମକୋର୍ଟ ଦୋଷୀଙ୍କ ଫାଶୀଦଣ୍ଡ ଉପରେ ରୋକ ଲଗାଇଥିଲେ ।
- ଡିସେମ୍ବର ୨୦, ୨୦୧୫- ନାବାଳିକ ଅପରାଧୀକୁ ବାଲ ସୁଧାର ଗୃହରୁ ମୁକ୍ତ କରାଯାଇଥିଲା।
- ମାର୍ଚ୍ଚ ୨୭, ୨୦୧୬ - ସୁପ୍ରିମକୋର୍ଟ ଦୋଷୀମାନଙ୍କ ଆବେଦନ ଉପରେ ରାୟ ସଂରକ୍ଷଣ କରିଥିଲେ ।
- ମେ ୫, ୨୦୧୭ - ସୁପ୍ରିମକୋର୍ଟ ୪ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ ।
- ଜୁଲାଇ ୯, ୨୦୧୮ - ସମୀକ୍ଷା ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡକୁ ସଂରକ୍ଷିତ ରଖିଥିଲେ ।
- ଜାନୁଆରୀ ୭, ୨୦୨୦ - ନିର୍ଭୟାଙ୍କ ୪ ଜଣ ଦୋଷୀ ପାଇଁ ଡେଥ୍ ୱାରେଣ୍ଟ ଜାରି କରାଯାଇଥିଲା ।
- ମାର୍ଚ୍ଚ ୨୦, ୨୦୨୦ - ସମସ୍ତ ୪ ଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଥିଲା।