ଡେରାଡୁନ: ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ହେବାକୁଯାଉଛି ବିଧାନସଭା ନିର୍ବାଚନ । ଦେବଭୂମି ଦଖଲ କରିବାକୁ ସମସ୍ତ ଦମ୍ ଲଗାଇଦେଇଛି ଦିଲ୍ଲୀ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି । ଏହାରି ମଧ୍ୟରେ ଉତ୍ତରାଖଣ୍ଡ ଗସ୍ତ କରି ବଡ ବଡ ପ୍ରତିଶ୍ରୁତିର ପାହାଡ ଛିଡା କରିଛନ୍ତି ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ ।
ଉତ୍ତରାଖଣ୍ଡକୁ ନେଇ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୬ ମାସରେ ୧ ଲକ୍ଷ ନିଯୁକ୍ତି ଓ ୫ ହଜାର ଟଙ୍କାର ଭତ୍ତା ଦେବେ ବୋଲି ଦାବି କରିଛନ୍ତି ଆପ୍ ମୁଖ୍ୟ । ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଯଦି ଉତ୍ତରାଖଣ୍ଡରେ ଆମ ଆଦମୀ ପାର୍ଟିର ସରକାର ଗଠନ ହୁଏ, ତାହେଲେ ୬ ମାସରେ ୧ ଲକ୍ଷ ରୋଜଗାର ସୃଷ୍ଟି ହେବ । ଏହାସହିତ ରୋଜଗାର ମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ମାସ ୫ ହଜାର ଟଙ୍କାର ଭତ୍ତା ଦିଆଯିବ । କେବେ ସେତିକି ନୁହେଁ, ଚାକିରୀରେ ଜନସାଧାରଣଙ୍କୁ ୮୦ ପ୍ରତିଶତ ସଂରକ୍ଷଣ ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି କେଜ୍ରିୱାଲ ।