ମୁଖ୍ୟମନ୍ତ୍ରୀଙ୍କ ଆଭାସି କାର୍ଯ୍ୟକ୍ରମରେ ମହିଳାଙ୍କ ଉନ୍ମତ୍ତ କାଣ୍ଡ, ଟିଫିନ ପାଇଁ ଧସ୍ତାଧସ୍ତି
Published : Feb 17, 2024, 10:31 PM IST
Tension erupts in CM Naveen Virtual Program: ଜଗତସିଂହପୁର: ଜିଲ୍ଲାରେ ମେଡିକାଲ ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ମହିଳାମାନଙ୍କ ହଙ୍ଗମା । ଟିଫିନକୁ ନେଇ ହୋହଲ୍ଲା କରିବା ସହିତ ଭଙ୍ଗାରୁଜା ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ମେଡିକାଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ଜଗତସିଂହପୁର ଓ ଏହାର ଆଖପାଖ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଡକାଯାଇଥିଲା । ଏମ୍ବିକେ ଓ ପଞ୍ଚାୟତରେ କାର୍ଯ୍ୟ କରୁଥିବା ସିଆରପିଙ୍କ ଜରିଆରେ ୩ ହଜାରରୁ ଅଧିକ ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହା ବି ପଢନ୍ତୁ- ସିଏମଙ୍କ ସଭାରେ ମହିଳାଙ୍କ ଉତ୍ପାତ, ଉଠାଇନେଲା ପୋଲିସ
କାର୍ଯ୍ୟକ୍ରମ ଆରମ୍ଭରେ ସବୁ ଠିକଠାକ ଚାଲିଥିବା ବେଳେ ଟିଫିନ ବଣ୍ଟାକୁ ମହିଳାମାନେ ହୋହଲ୍ଲା କରିଥିଲେ । ପରେ ଏହି ଘଟଣା ଉଗ୍ରରୂପ ନେଇଥିଲା । ମହିଳା ମାନେ ନିଜ ନିଜ ଭିତରେ ଧସ୍ତାଧସ୍ତି ହେବା ସହିତ ଜିଲ୍ଲାପାଳ, ବିଧାୟକ ଓ ଜଗତସିଂହପୁର ସାଂସଦଙ୍କ ଉପସ୍ଥିତିରେ ମାରପିଟ ହୋଇଥିଲେ । ମହିଳାମାନଙ୍କ କହିବା କଥା ଯେ ସେମାନଙ୍କୁ କୁଆଡେ ଜଣକ ପିଛା ୧୦୦୦ ଟଙ୍କା ଦେବାକୁ ଡକା ଯାଇଥିଲା । ଯଦି କେହିବି ଜଣେ ସଭାକୁ ନ ଯାଆନ୍ତି ତେବେ ତାଙ୍କୁ ଟଙ୍କା ମିଳିବ ନାହିଁ ବୋଲି ପଞ୍ଚାୟତ ସିଆରପି କୁଆଡେ କହିଥିଲେ । ଟଙ୍କା ପାଇବା ପାଇଁ ମହିଳା ଆସିଥିବା ବେଳେ ସତ ଜଣା ପଡିଯିବାରୁ ଅସନ୍ତୋଷ ଦେଖା ଦେଇଥିଲା । ପରେ କିଛି ମହିଳାଙ୍କୁ ଟିଫିନ ଦେବାକୁ ଉତ୍ତେଜନା ପ୍ରକାଶ ପାଇଥିଲା । ଟିଫିନ ପାଇଁ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । କିଛି ମହିଳା ଟେଣ୍ଡକୁ ଫାଡ଼ି ଦେଇଥିଲେ । ଜିଲ୍ଲାପାଳ, ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ଏହି ଘଟଣା ଘଟିବା ପରେ ଜିଲ୍ଲାପାଳ ସ୍ଥାନ ଛାଡି ପଳାଇଥିଲେ । ଏହି ଘଟଣାରେ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଜଗତସିଂହପୁର