ପାଖଉଛି ନିର୍ବାଚନ; ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର - Odisha Assembly election 2024
Published : May 9, 2024, 9:40 AM IST
ODISHA ASSEMBLY ELECTION 2024: ବୌଦ୍ଧ: ନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ଭୋଟ ହାତେବାକୁ ଭୋଟରଙ୍କୁ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି ତିନି ପ୍ରତିଦ୍ବନ୍ଦ୍ବୀ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ଏହି କ୍ରମରେ ବୌଦ୍ଧ ଓ କଣ୍ଟମାଳ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛନ୍ତି ତିନୋଟି ଯାକ ଦଳର ପ୍ରାର୍ଥୀ । ଡୋର ଟୁ ଡୋର କ୍ୟାମ୍ପେନ ସହିତ ଶୋଭାଯାତ୍ରା କରି ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ପାଞ୍ଚ ଥରର ବିଧାୟକ ପ୍ରଦୀପ କୁମାର ଅମାତ ଷଷ୍ଠ ଥର ପାଇଁ ବିଜେଡି ଦଳର ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଯୁବ ବିଜେପି ସଂଗଠକ ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ରଙ୍କ ସହିତ ଅନ୍ୟ ତିନି ଜଣ ସ୍ବାଧୀନ ବିଧାୟକ ପ୍ରାର୍ଥୀ ମଧ୍ୟ ପ୍ରଚାର ଅଭିଯାନ ଜାରି ରଖିଛନ୍ତି ।
ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ପକ୍ଷରୁ ପ୍ରାର୍ଥୀ ଭାବରେ ଦୁଇ ଥରର ବିଧାୟକ ମହୀଧର ରଣାଙ୍କୁ କଡ୍ଡା ଟକ୍କର ଦେବାକୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ସହିତ କଂଗ୍ରେସ ଦଳର ପ୍ରାର୍ଥୀ ଓ ଅନ୍ୟ ତିନି ଜଣ ବିଧାୟକ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ବୁଧବାରଠାରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହୀଧର ରଣା ରୋଡ଼ ସୋ କରିଥିଲେ । ସେହିପରି ବିଜେପି ଦଳର ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗଙ୍କ ସଂଗଠନ ସୁଦୃଢ଼ ହେବାରେ ଲାଗିଥିବାରୁ ବିଜେଡି ଦଳ ପାଇଁ ଟେନସନ ବଢ଼ିବାରେ ଲାଗିଛି । କେନ୍ଦ୍ରର ମୋଦି ଗ୍ୟାରେଣ୍ଟି ସହିତ ବିଜେପି ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତିକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ସେପଟେ ଉଭୟ ବିଜେଡି ବିଜେପି ଦଳ ସାଧାରଣ ଜନତାଙ୍କୁ ଉଚିତ ନ୍ୟାୟଯୁକ୍ତ ଶାସନ ଯୋଗାଇବାରେ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରି ସାଧାରଣ ଭୋଟରଙ୍କ ନିକଟରେ ପହଞ୍ଚୁଛି ।
ଇଟିଭି ଭାରତ, ବୌଦ୍ଧ