ହାଇଦ୍ରାବାଦ:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଜି ଅପରାହ୍ନରେ ଏକ ବଡ଼ ଘୋଷଣା କରିଛି । ଗତ ଡିସେମ୍ବର 30 ତାରିଖରେ ଲଞ୍ଚ କରିଥିବା ଐତିହାସିକ ମିଶନ SpaDex ଜରିଆରେ ଆସନ୍ତାକାଲି (ଜାନୁଆରୀ 7) ହେବାକୁ ଥିବା ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ମହାକାଶରେ ଏହି ପ୍ରକ୍ରିୟା ଆସନ୍ତାକାଲି ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏହାକୁ ଜାନୁଆରୀ 9 ତାରିଖକୁ ଘୁଞ୍ଚାଇଛି ସଂସ୍ଥା । ଏହି ମିଶନ ଇସ୍ରୋ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ କାରଣ, ଏହା ସଫଳ ହେଲେ ଆଗାମୀ ସ୍ପେଶ ଅପେରସନ ଲାଗି ବାଟ ଖୋଲିବ, ଏଥିରେ ଇସ୍ରୋର 'ଭାରତୀୟ ସ୍ପେଶ ଷ୍ଟେସନ' ମଧ୍ୟ ସାମିଲ ।
ଏହି ମିଶନର ନାମ ସ୍ପେଶ ଡକିଂ ଏକ୍ସପରିମେଣ୍ଟ (SpaDex) ରଖାଯାଇଛି । ଇସ୍ରୋ ଏହି ମିଶନ ଜରିଆରେ ଦୁଇଟି ସ୍ପେଶକ୍ରାଫ୍ଟ SDX01 ଓ SDXO2କୁ ମହାକାଶକୁ ଉତକ୍ଷେପଣ କରିଛି । ଡିସେମ୍ବର 30 ତାରିଖ ରାତି ପ୍ରାୟ 10ଟା ବାଜି 15 ସେକେଣ୍ଡରେ ଏହାକୁ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରକୁ ଲଞ୍ଚ କରାଯାଇଥିଲା । 2024 ବର୍ଷ ଶେଷରେ ଏହି ମିଶନକୁ ଲଞ୍ଚ କରି ଇସ୍ରୋ ଇତିହାସ ରଚିଥିଲା ।
ଡକିଂ ଓ ଅନଡକିଂ ପ୍ରକ୍ରିୟା କଣ ?
ପୋଲାର ସାଟେଲାଇଟ୍ ଲଞ୍ଚିଂ ଯାନ (PSLV-C60) 220 କିଲୋଗ୍ରାମର ଦୁଇଟି ସାଟେଲାଇଟ୍କୁ 470 କିଲୋମିଟର ବୃତ୍ତାକାର କକ୍ଷପଥରେ ରଖାଯାଇଥିଲା । ଏହି ମିଶନ ମାଧ୍ୟମରେ ମହାକାଶରେ ଡକିଂ ଓ ଅନଡକିଂ ପ୍ରକ୍ରିୟାକୁ ପରୀକ୍ଷଣ କରିବ ଇସ୍ରୋ । 'ଡକିଂ'ର ଅର୍ଥ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ସହିତ ସଂଯୋଗ କରିବା ଏବଂ ମହାକାଶରେ ସଂଯୁକ୍ତ ଦୁଇଟି ମହାକାଶଯାନର ପୃଥକୀକରଣକୁ 'ଅନଡକିଂ' କୁହାଯାଏ । ଚନ୍ଦ୍ରରୁ ନମୁନା ଆଣିବା, ଭାରତୀୟ ମହାକାଶ ଷ୍ଟେସନ (BAS) ନିର୍ମାଣ ଭଳି ଭାରତର ଉଚ୍ଚାଭିଳାଷୀ ମିଶନ ପାଇଁ ଏହି ଟେକ୍ନୋଲୋଜି ବେଶ ଗୁରୁତ୍ବପୂର୍ଣ୍ଣ ।