ହାଇଦ୍ରାବାଦ:ଆଖି ପିଛୁଳାକେ ଘରେ ପହଞ୍ଚିବ ଫୋନ । ଅର୍ଡର କରିବାର ମାତ୍ର 10 ମିନିଟ ପରେ ଆପଣଙ୍କ ଘରେ ସାଓମି ଓ ନୋକିଆ ବ୍ରାଣ୍ଡର ଫୋନ ପହଞ୍ଚିପାରିବ । କ୍ବିକ୍ ଡେଲିଭରି ସେବା ଯୋଗାଉଥିବା ପ୍ଲାଟଫର୍ମ ବ୍ଲିଙ୍କଇଟ୍ ଏହାର 10 ମିନିଟ୍ ସେବାକୁ ବିସ୍ତାର କରି ଏହି ସୁବିଧା ନିଜ ଗ୍ରାହକଙ୍କୁ ଯୋଗାଇଛି । ଏ ନେଇ ସିଇଓ ଅଲବିନ୍ଦର ଢିଢଁସା ନିଜ X ସାଇଟ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଜମାଟୋ ମାଲିକାନାରେ ଥିବା ବ୍ଲିଙ୍କଇଟ୍ ସାଓମି ଓ ନୋକିଆ ବ୍ରାଣ୍ଡ ସହିତ ପାର୍ଟନରସିପ୍ କରିଛି । ଏହି ପାର୍ଟନରସିପ୍ ମାଧ୍ୟମରେ କମ୍ପାନୀ ଦେଶର କିଛି ପ୍ରମୁଖ ସହର ଯେପରିକି ବେଙ୍ଗାଲୁରୁ, ଦିଲ୍ଲୀ ଏନସିଆର ଓ ମୁମ୍ବାଇରେ ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଯୋଗାଉଛି । ଆଗାମୀ ଦିନରେ ଦେଶର ଅନ୍ୟ ସହରଗୁଡ଼ିକରେ ଏହି ସେବାକୁ ଉପଲବ୍ଧ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।
ବ୍ଲିଙ୍କଇଟ୍ 10 ମିନିଟ୍ ଫୋନ୍ ଡେଲିଭରି
ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନ୍ ଓ X ସାଇଟ୍ରେ ପୋଷ୍ଟ କରି ପ୍ଲାଟଫର୍ମର ମୁଖ୍ୟ ଢିଢଁସା ଲେଖିଛନ୍ତି, "ଏବେ ମାତ୍ର 10 ମିନିଟରେ ସ୍ମାର୍ଟଫୋନ ଓ ଫିଚର ଫୋନ ନିଜ ଘରେ ପାଆନ୍ତୁ । ଆମେ Xiaomi ଓ Nokia ସହିତ ପାର୍ଟନରସିପ୍ କରିଛୁ । ସେମାନଙ୍କ ବେଷ୍ଟ ସେଲିଂ ରେଞ୍ଜ ସ୍ମାର୍ଟଫୋନକୁ ଦିଲ୍ଲୀ ଏନସିଆର, ମୁମ୍ବାଇ ଓ ବେଙ୍ଗାଲୁରୁରେ ଡେଲିଭରି କରିବାକୁ ଯାଉଛୁ ।" ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଭାବେ Redmi 13 5G, Redmi 14C, iPhone 16 ଓ Nokia 105 ଫୋନର ଡେଲିଭରି ହେଉଛି । ଆଗାମୀ ଦିନରେ ଅନେକ ଫୋନ ଓ ବ୍ରାଣ୍ଡକୁ ସାମିଲ କରାଯିବ।
କ୍ବିକ୍ ଡେଲିଭରି ପ୍ଲାଟଫର୍ମରେ ଇଲେକଟ୍ରୋନିକ୍ସ ବି ସାମିଲ
କହି ରଖୁଛୁ କି, ଗତ ଜାନୁଆରୀ 10 ତାରିଖରେ ଢିଢଁସା ଘୋଷଣା କରିଥିଲେ ଯେ କମ୍ପାନୀ କ୍ବିକ୍ ଡେଲିଭରି ସେବାରେ ଇଲେକ୍ଟ୍ରୋନିକ୍ସକୁ ବି ସାମିଲ କରିଛି । ମେଟ୍ରୋ ସିଟିଗୁଡ଼ିକରେ ମାତ୍ର 10 ମିନିଟରେ ଲାପଟପ୍, ମନିଟର୍ ଓ ପ୍ରିଣ୍ଟର ଡେଲିଭରି ହୋଇପାରିବ । ଏଥିଲାଗି କମ୍ପାନୀ ପ୍ରମୁଖ ବ୍ରାଣ୍ଡ ସହ ହାତ ମିଳାଇଛି ବୋଲି ବ୍ଲିଙ୍କଇଟ୍ ସିଇଓ ସୂଚନା ଦେଇଥିଲେ ।
ଢିଢଁସାଙ୍କ କହିବାନୁସାରେ, ସେମାନେ ପ୍ରାଥମିକ ଭାବେ HP କମ୍ପାନୀର ଲାପଟପ୍ ଡେଲିଭରି କରୁଥିବା ବେଳେ Lenovo, Zebronics ଓ MSIର ମନିଟର୍ ଏବଂ Canon ଓ HPର ପ୍ରିଣ୍ଟରକୁ ଦିଲ୍ଲୀ ଏନସିଆର, ପୁଣେ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଓ ଲକ୍ଷ୍ନୌରେ ଡେଲିଭରି ସେବା ପ୍ରଦାନ କରାଯାଉଛି ।