ନିଆଳି:ଆଦର୍ଶ ଗାଁରେ ଖରାଦିନେ ବିଶୁଦ୍ଧ ପାଣି ମିଳୁନଥିବା ଅଭିଯୋଗ । ଅଚଳ ହୋଇପଡିଛି ସୋଲାର ଓଭରହେଡ ଟାଙ୍କି । ବାକ୍ସ କଳରୁ ବାହାରୁଛି ଆଇରନ ମିଶା ପାଣି । ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ କେତେକ ଗାଁ ଗଣ୍ଡାରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଡିମିରି ପଞ୍ଚାୟତସ୍ଥିତ ଅରିଶଲ ଗ୍ରାମରେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ହେଉଛନ୍ତି ଡହଳ ବିକଳ । ଏପରିକି ପୋଖରୀଠାରୁ ଆରମ୍ଭ କରି ନଦୀ ନାଳ ବି ଶୁଖି ଗଲାଣି । ଉତ୍କଟ ଜଳ ସମସ୍ୟା ଦେଖା ଦେଇଥିଲେ ବି ଠିକାଦାର କି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଡିମିରି ପଞ୍ଚାୟତ ସ୍ଥିତ ଅରିଶଲ ଗ୍ରାମରେ ଦେଖାଦେଇଛି ଜଳ ସମସ୍ୟା । ୭ ଓ ୮ ନମ୍ବର ୱାର୍ଡରେ ପାଖାପାଖି ୩ ଶହ ପରିବାର ବାସ କରୁଥିବାବେଳେ ଜନସଂଖ୍ୟା ୧୫ ଶହରୁ ଊର୍ଦ୍ଧ୍ବ ରହିଛି । 'ଅରିଶଲ'କୁ ଆଦର୍ଶ ଗାଁ ମାନ୍ୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ଏବଂ କଟକ ଜିଲ୍ଲା ପ୍ରଶାସନ । କିନ୍ତୁ ଆଦର୍ଶ ଗାଁରେ ଖରା ଦିନରେ ଦେଖାଦେଇଛି ଜଳ ସମସ୍ୟା । ଗତ କିଛି ଦିନ ତଳେ କଣ୍ଟାପଡ଼ା ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଠିକାଦାରଙ୍କ ମାଧ୍ୟମରେ ୩ଟି ସୋଲାର ପ୍ରୋଜେକ୍ଟ କାମ କରୁଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଥିଲା । ଯାହାକି କିଛି ଦିନ କାର୍ଯ୍ୟକ୍ଷମ ପରେ ଅଚଳ ହୋଇପଡିଛି ।