ଭୁବନେଶ୍ବର:ରାଜ୍ୟରେ ବିଜେପିର ଘନ ଘନ ପ୍ରଚାର । ଆଜି ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱର କଟକ ସମେତ ପୁରୀ ଓ ଅନୁଗୋଳ ଜିଲ୍ଲାରେ ରହିଛି କାର୍ଯ୍ୟକ୍ରମ । ଏହାସହ ଭୁବନେଶ୍ୱରରେ ରାତ୍ରି ରହଣି ଓ କଟକରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ପ୍ରସ୍ତୁତି । ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ଆସନ୍ତା ସୋମବାର କଟକର ବାଲିଯାତ୍ରା ପଡିଆରେ ପ୍ରଧାନମନ୍ତ୍ରୀଙ୍କର ସାଧାରଣ ସଭା ରହିଛି । ଏନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ହୋଇଛି । କଟକ ଡିସିପିଙ୍କ ନେତୃତ୍ବରେ ଆଉ ୩ ଜଣ ଡିସିପି ରାଙ୍କର ଅଫିସରଙ୍କ ସହ ୬ଜଣ ଅତିରିକ୍ତ ଡିସିପି ଓ ୧୮ ଏସିପି, ୪୦ ଇନ୍ସପେକ୍ଟର ଓ ୧୫୦ ଅଫିସର ସହ ୩୦ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ । ଏହାସହ ଏସଟିୟୁ ୩ଟି ଟିମ, ଡଗ୍ ସ୍କ୍ୱାର୍ଡ, ବମ ସ୍କ୍ୱାର୍ଡ ସହ ଓଡ୍ରାଫର ୨ଟି ଟିମ୍ ମଧ୍ୟ ନିୟୋଜିତ ହେବେ ।"
ସଭାସ୍ଥଳ ଏବଂ ହେଲିପ୍ୟାଡକୁ ବମ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡ ଟିମ୍ ସହ ଯାଞ୍ଚ କରାଯାଉଛି । ତିନି ଥର ଲେଖାଏ ଯାଞ୍ଚ ସହ ହାଇ ବଡ଼ ବଡ଼ ବିଲ୍ଡିଂ ଉପରେ ମଧ୍ୟ ନଜର ରଖାଯାଉଛି । ସବୁଠି ସାଧା ପୋଷାକରେ ପୋଲିସ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ଜନସମାବେଶକୁ ଦୃଷ୍ଟିରେ ରଖି ଚେକିଂ କରି ସଭା ସ୍ଥଳକୁ ପଠାଯିବ । ଏନେଇ ନିର୍ଦ୍ଧାରିତ ସମୟ ଆଗରୁ ଲୋକଙ୍କୁ ଆସିବା ପାଇଁ ଅନୁରୋଧ କରାଯାଉଛି । ଟ୍ରାଫିକ ସମସ୍ୟା ଯେଭଳି ନହେବ ସେନେଇ ବ୍ୟବସ୍ଥା ହୋଇଛି । ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ପାଇଁ ଇଲୋକ୍ଟ୍ରୋଲାଇଟ ଡ୍ରିଙ୍କସର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।