ରାଇରଙ୍ଗପୁର:ଜନୈକା ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଉକ୍ତ ଦୁଷ୍କର୍ମ ମାମଲାର ରାୟ ଶୁଣାଣି ହୋଇଛି । ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳର ମୋହନ ମାଝୀ ବୋଲି ଜଣାପଡିଛି । ରାୟ ପ୍ରକାଶ ପାଇବା ପରେ ଆସାମୀ ମୋହନକୁ ରାଇରଙ୍ଗପୁର ଉପ-କାରାଗାର ପଠାଇ ଦିଆଯାଇଛି । ଏହି ମାମଲାକୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟର ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ, ବିଶୋଇ ଥାନା ଅଞ୍ଚଳରେ ଜନୈକା ବିବାହିତା ମହିଳା ଏକୁଟିଆ ରହୁଥିଲେ । ତାଙ୍କର ସ୍ବାମୀ ପରିବାର ପ୍ରତିପୋଷଣ ପାଇଁ ଗୁଜୁରାଟକୁ ଦାଦନ ଭାବରେ କାମ କରିବାକୁ ଯାଇଥିଲେ । ଗତ ୧୦/୦୧/୨୦୨୩ ତାରିଖ ଦିନ ରାତିରେ ଉକ୍ତ ମହିଳା ଜଣକ କୌଣସି କାରଣ ପାଇଁ କବାଟ ଖୋଲି ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ମୋହନ ମାଝୀ (୩୨) ଘର ଭିତରକୁ ପଶି ତାଙ୍କ ଦୁଷ୍କର୍ମ କରିଥିଲା ।
ତେବେ ପୀଡିତା ମହିଳା ଜଣଙ୍କ ଏହି ଘଟଣାକୁ କାହାକୁ କହି ପାରିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସ୍ବାମୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ମହିଳାଙ୍କ ସ୍ବାମୀ ଗୁଜୁରାଟରୁ ଘରକୁ ଆସି ଅଭିଯୁକ୍ତ ମୋହନ ବିରୋଧରେ ଗତ ୧୦/୨/୨୩ ଦିନ ବିଶୋଇ ଥାନାରେ ଲିଖିତ ଅଭିଯୁକ୍ତ କରିଥିଲେ । ଏହାକୁ ନେଇ ପୋଲିସ ୩୩/୨୩ ଏକ ମାମଲା ରୁଜୁ କରିବା ସହିତ ମୋହନକୁ ଗିରଫ କରି କୋର୍ଟ ଚାଲାଣ କରାଯାଥିଲା ।