ଭୁବନେଶ୍ବର/ଗଞ୍ଜାମ: ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟରେ ଯୋଗ ଦେଇଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଖଲ୍ଲିକୋଟ RCM ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେଇଛନ୍ତି । ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ । ତାଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ଭେଟି ରାଣୀଙ୍କ ସ୍ମୃତିଚାରଣ କରିଛନ୍ତି ଉଭୟ ନେତା ।
ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କର ଆଜି ଦ୍ବାଦଶାହ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମଧ୍ୟାହ୍ନ ସମୟରେ ଖଲ୍ଲିକୋଟ RCM ବିଜ୍ଞାନ କଲେଜରେ ପହଞ୍ଚିଥିଲେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ରାଣୀଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ଭେଟି ଉଭୟ ରାଣୀଙ୍କ ସ୍ମୃତିଚାରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନ କହିଛନ୍ତି, "ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓ ଗଞ୍ଜାମର ଅପ୍ରତିଦ୍ବନ୍ଦ୍ବୀ ରାଜନେତା । ଅନେକ ଦଶକ ଧରି ଏ ଅଞ୍ଚଳର ସେବା କରିଆସିଥିଲେ । ତାଙ୍କର ବ୍ୟକ୍ତିତ୍ବ ଓ ସେବା ମନୋଭାବ ଯୋଗୁଁ ସେ ସାରା ଓଡିଶାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମ୍ମାନର ଅଧିକାରିଣୀ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ଗଠନରେ ଓ ପରବର୍ତ୍ତୀ ଓଡିଶାରେ ବିକାଶରେ ରାଣୀଙ୍କ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୁ ଭାବରେ ସେ ଖଲ୍ଲିକୋଟ ରାଜ ପରିବାରର ଜଣେ ସୁଯୋଗ୍ୟା ଉତ୍ତରାଧିକାରିଣୀ ଥିଲେ ।" କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ ଓ ଜିଲ୍ଲାର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ ।