ଭୁବନେଶ୍ବର:ଓଡ଼ିଶାରେ ଜାରି ରହିଛି ବିଧାନସଭା ଓ ଲୋକସଭା ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡ ସହିତ ସରଗରମ ହେବାର ଲାଗିଛି ରାଜ୍ୟ ରାଜନୀତି । ସାମ୍ପ୍ରତିକ ଟ୍ରେଣ୍ଡ ଅନୁସାରେ ଭାରତୀୟ ଜନତା ପାର୍ଟି ଠାରୁ ପଛରେ ପଡିଛି ଶାସକ ବିଜୁ ଜନତା ଦଳ । ବିଜେଡିର ବହୁ ହେଭିୱେଟ ନେତା ମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ଠୁ ପଛରେ ପଡିଛନ୍ତି । ପ୍ରାୟ ସମସ୍ତ ଆସନରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ହେଉଥିଲେ ହେଁ ବର୍ତ୍ତମାନର ଟ୍ରେଣ୍ଡ ବିଜେଡି ପାଇଁ ରହିଛି ନୈରାଶ୍ୟଜନକ । ଏବେସୁଦ୍ଧା ଆସିଥିବା ଫଳାଫଳରେ ବିଜେପି ୭୫ ଆସନରେ ଲିଡ୍ କରୁଥିବାବେଳେ ୫୪ଟିରେ ଆଗୁଆ ଅଛି ବିଜେଡି ।
କିଏ ଆଗରେ କିଏ ପଛରେ ?
ସମୟ ଗଡ଼ିବା ସହ ବଢିବାରେ ଲାଗିଛି ନେତାଙ୍କ ହୃଦସ୍ପନ୍ଦନ । ବିଶେଷକରି ପ୍ରାରମ୍ଭିକ ଟ୍ରେଣ୍ଡ ଦେଖି ବିଜେଡି ଶିବିରରେ ଛନକା ପଶିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ପ୍ରଦୀପ କୁମାର ଅମାତ, ବିକ୍ରମ କେଶରୀ ଆରୁଖ, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁଙ୍କ ପ୍ରମୁଖ ମନ୍ତ୍ରୀ ପଛରେ ଚାଲିଛନ୍ତି । ସେହିପରି ଚାନ୍ଦବାଲିରେ ବର୍ତ୍ତମାନର ବିଧାୟକ ବ୍ୟୋମକେଶ ରାୟଙ୍କ ଠାରୁ ଆଗୁଆ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିପରି କୋରେଇରେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ବବି ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କ ଠାରୁ ଲିଡ୍ କରୁଛନ୍ତି । ବଡଚଣାରେ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କ ଠାରୁ ପଛରେ ଅଛନ୍ତି ।
ସେହିପରି ଚମ୍ପୁଆରେ ବିଜେଡିର ଟାଣୁଆ ନେତା ସନାତନ ମହାକୁଡ, ଭଟଲିରେ ସୁଶାନ୍ତ ସିଂ, ଟିଟିଲାଗଡରେ ମନ୍ତ୍ରୀ ଟୁକୁନି ସାହୁ, ମହାକାଳପଡାରେ ଅତନୁ ସବ୍ୟସାଚୀ ନାୟକ, ଆଠଗଡରେ ବିକ୍ରମ କେଶରୀ ଆରୁଖ, ବଲାଙ୍ଗୀରରେ କଳିକେଶ ନାରାୟଣ ସିଂହଦେଓ, ରାଉରକେଲାରେ ସାରଦା ନାୟକ, ରେଢାଖୋଲରେ ପ୍ରସନ୍ନ ଆଚାର୍ଯ୍ୟ, ସତ୍ୟବାଦୀ ସଞ୍ଜୟ ଦାସବର୍ମା, ଜୁନାଗଡରେ ଦିବ୍ୟଶଙ୍କର ମିଶ୍ର, ନୟାଗଡରେ ଅରୁଣ ସାହୁ ପଛରେ ଚାଲୁଛନ୍ତି ।