କଟକ:ଚାଲିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଗତ 20 ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଆସନ୍ତା 4 ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଥିବା ବେଳେ ଆଜି ଦ୍ବିତୀୟ ଦିନରେ ଇଂରାଜୀ ପରୀକ୍ଷା ଥିଲା । ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ସମୟକୁ ନେଇ ବୋର୍ଡ ସଭାପତି ଦେଲେ ସ୍ପଷ୍ଟୀକରଣ ।
ଆଜି କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇନଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସମୟ ସକାଳ ୭ଟା୩୦ରୁ ୮ ଟା ୧୫ ମଧ୍ୟରେ ରହିଛି । ତେବେ କେନ୍ଦ୍ର ଭିତରେ ପ୍ରବେଶ ପାଇଁ ଧାର୍ଯ୍ୟ ହୋଇଥିବା ସମୟକୁ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ‘‘ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ମାନଙ୍କୁ ପହଞ୍ଚିବାକୁ ନେଇ ବୋର୍ଡ ଯେଉଁ ସମୟ ନିର୍ଘଣ୍ଟ କରିଥିଲା ତାହାର ମୁଖ୍ୟ ଉଦେଶ୍ୟ ଥିଲା ଛାତ୍ରଛାତ୍ରୀ ମାନେ କିପରି ସୁରୁଖୁରୁରେ ପରୀକ୍ଷା ଦେବେ। ଟିକେ ପୂର୍ବରୁ ଆସିଲେ ପରୀକ୍ଷାର୍ଥୀ ମାନେ ସୁସ୍ଥ ମାନସିକରେ ପରୀକ୍ଷା ଦେବେ। ମାତ୍ର ସକାଳ ୮ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ମଧ୍ୟ କୌଣସି ସମସ୍ୟା ନାହିଁ। ଏହାକୁ ନେଇ କୌଣସି ବିବାଦ ହେବା କଥା ନୁହେଁ।କାରଣ ପ୍ରଶ୍ନପତ୍ର ଦେବା ପୂର୍ବରୁ ପରୀକ୍ଷାର୍ଥୀ ମାନେ ହଲରେ ଉପସ୍ଥିତ ରହିବା ଆବଶ୍ୟକ । ତେଣୁ ଯେଉଁ ପରୀକ୍ଷାର୍ଥୀ ମାନେ ଏହି ସମୟ ମଧ୍ୟରେ କେନ୍ଦ୍ରରେ ପ୍ରବେଶ କରିବେ,ସେମାନଙ୍କୁ ଅନୁମତି ଦିଆଯିବ ।’’ ଏହି ସ୍ପଷ୍ଟୀକରଣ ଅନେକ ପରିକ୍ଷର୍ଥୀ ମାନଙ୍କୁ ସାମାନ୍ୟ ଆଶ୍ୱସ୍ଥ ଦେବେ ବୋଲି ଆଶା କରାଯାଉଛି ।