ଭୁବନେଶ୍ବର:ରାଜଧାନୀ ଉପକଣ୍ଠରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର । ବିଦ୍ୟୁତ ଠିକାଦାରଙ୍କ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକ ଜଣକ ଘରର ସହାୟିକାଙ୍କ ଝିଅ ବୋଲି ଜଣାପଡିଛି । ଚନ୍ଦକା ଥାନା କ୍ରିଷ୍ଣା ଏନକ୍ଲେଭରୁ ମୃତଦେହ ଜବତ କରିଛି କମିଶନରେଟ୍ ପୋଲିସ । ମୃତ ନାବାଳିକା ଗୌତମୀ ସିଂ ହୋଇଥିବା ବେଳେ ସେ ଠିକାଦାରଙ୍କ ଘରୋଇ ସହାୟିକାଙ୍କ ଝିଅ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ମଙ୍ଗଳବାର ସକାଳ ୮ଟା ସମୟରେ କ୍ରିଷ୍ଣା ଏନକ୍ଲେଭରୁ ୨୦୮ ନମ୍ବର ଘରର ବେଡରୁମରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଘରର ଭିତରପଟୁ କବାଟ ବନ୍ଦ ସହ ଫ୍ୟାନରେ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତନାଘନା ଆରମ୍ଭ କରିଛି । ତେବେ ଠିକାଦାରଙ୍କ ଉପର ଘରେ ଠିକାଦାର ତାଙ୍କ ପରିବାର ସହ ରହୁଥିଲେ । ମୃତକଙ୍କ ମାଆ ଠିକାଦାରଙ୍କ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିଲେ ।
ତେବେ ମୃତ ନାବାଳିକାଙ୍କ ମାଆଙ୍କ କହିବା ଅନୁସାରେ, "ଝିଅର ବୟସ ୧୬ ବର୍ଷ ହୋଇଥିବା ବେଳେ ସେ ଘରର ସହାୟିକା ଭାବେ କାମ କରୁଥିଲେ ଓ ମାଲିକର ଘରେ ରହୁଥିଲେ । ତେବେ ସକାଳୁ କେହି ନଥିବା ବେଳେ ଘର ଭିତରେ ସେ ଝୁଲୁଥିବା ଦେଖିବାକୁ ପାଇଥିଲେ । ତାର ବେକ ଏକ ଓଢଣିରେ ବନ୍ଧା ହୋଇଥିଲା । ତେଣୁ କେମିତି ହେଲା ସେନେଇ କିଛି କହିପାରିବି ନାହିଁ । କିନ୍ତୁ ସେ ଗୋଟେ ପୁଅ ସହିତ କଥା ହେଉଥିବାର ଘର ମାଲିକାଣୀ କହିଥିଲେ । ଆମେ ମଧ୍ୟ ବୁଝାସୁଝା କରିଥିଲୁ । ହଠାତ କଣ ହେଲା କହିପାରିବିନି ।"