ବରଗଡ଼:ଚିନ୍ତାରେ ଓଡ଼ିିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଅତାବିରା ଅଞ୍ଚଳର ଚାଷୀ । ଉଠା ଜଳସେଚନ ପ୍ରକଳ୍ପ କାମରେ ଅବହେଳା କାରଣରୁ ଶତାଧିକ ଚାଷୀ ନିଜ ବିଲରେ ଚାଷ କାମ କରିବାରୁ ବଞ୍ଚିତ ହୋଇଛନ୍ତି । ଠିକାଦାରଙ୍କର ଅବହେଳା ଓ ମନମାନି କାର୍ଯ୍ୟକଳାପ କାରଣରୁ ଅତାବିରା ବ୍ଲକ ଅନ୍ତର୍ଗତ ଲଚିଦା ଅଞ୍ଚଳର ପ୍ରାୟ 150 ଜଣ ଚାଷୀ ଗତ ରବି ଋତୁରେ ଚାଷ କାମ କରିପାରିନଥିବାବେଳେ ଚଳିତ ଖରିଫ ଋତୁରେ ମଧ୍ୟ ଚାଷ କାମରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଆସନ୍ତା ଜୁଲାଇ 1 ତାରିଖରୁ କେନାଲ ପାଣି ଆସିବାକୁ ଥିବାବେଳେ ପାଣିପଞ୍ଚାୟତ ପ୍ରକଳ୍ପ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ । ଯାହା ଫଳରେ ଲଚିଦା ଅଞ୍ଚଳର ଶତାଧିକ ଚାଷୀ ବିନା ଚାଷରେ କିପରି ପରିବାର ପରିପୋଷଣ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।
ଓଡ଼ିଶାର ଭାତହାଣ୍ଡିରେ ଅନ୍ନଦାତାଙ୍କ ଠାରୁ ଅନ୍ନ ଛଡାଇ ନେଇଛନ୍ତି ଠିକାଦାର ! ଅତାବିରା ଅଞ୍ଚଳରେ ଅଧିକାଂଶ ଲୋକ ଚାଷ କାମ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ବ୍ଲକରେ 90 ପ୍ରତିଶତ ଚାଷୀ ରହିଥିବାବେଳେ ଅଧିକାଂଶ ଚାଷୀ କେନାଲ ପାଣି ଉପରେ ନିର୍ଭର କରି ଚାଷ କରିଥାନ୍ତି । ହେଲେ ଲଚିଦା ଅଞ୍ଚଳରେ ଉଠା ଜଳସେଚନ ପ୍ରକଳ୍ପର ପୁନଃଉଦ୍ଧାର କାର୍ଯ୍ୟ ପାଇଁ 78 ଲକ୍ଷ 64 ହଜାର ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିବା ବେଳେ ଦୀର୍ଘ 4 ମାସ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଶେଷ ହୋଇନାହିଁ l ଏହି ପ୍ରକଳ୍ପ ପାଇଁ ଲଚିଦା ଅଞ୍ଚଳରେ ଦୀର୍ଘ 4 ମାସ ହେଲା କେନାଲ ପାଣି ଯୋଗାଣ ବନ୍ଦ କରାଯାଇଥିବାବେଳେ ଏହି ଅଞ୍ଚଳରେ ପ୍ରାୟ 150 ରୁ ଅଧିକ ଚାଷୀ ଗତ ରବି ଫସଲରେ ଧାନ ଚାଷ ବନ୍ଦ କରିଥିଲେ ।