ନୂଆପଡା: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ବେଶ ପ୍ରଭାବିତ କରୁଛି । ନୂଆପଡାର ଖଡ଼ିଆଳ, ବୋଡେନ, ସିନାପାଲି, କୋମନା ନୂଆପଡା ଆଦି ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗିରହିଛି । ପାରଦ ଉପରମୁହାଁ ରହିଥିବାବେଳେ ଜିଲ୍ଲାରେ କ୍ରମାଗତ 45 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
Heat Wave alert in Nuapada (ETV Bharat Odisha) ସକାଳ 7ଟାରୁ ପ୍ରଚଣ୍ଡ ଖରା ଆରମ୍ଭ ହୋଇ ସଂଧ୍ୟା 5ଟା ପର୍ଯ୍ୟନ୍ତ ଲାଗି ରହିଛି । ଫଳରେ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଛି । ଅତି ଜରୁରୀ କାମରେ ଯାତାୟତ କରୁଥିବା ଲୋକମାନଙ୍କୁ ରାସ୍ତାକଡ଼ରେ ପିଇବା ପାଣି ମଧ୍ୟ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଖରା ରେକର୍ଡ ସୃଷ୍ଟି କରିଥିବା ନୂଆପଡାବାସୀ ପ୍ରକାଶ କରିଛନ୍ତି ।
ପ୍ରଚଣ୍ଡ ରୁଦ୍ରତାପରେ ଡହଳ ବିକଳ ହେଉଛନ୍ତି ଜିଲ୍ଲାବାସୀ । ଝାଞ୍ଜି ପବନ ସାଙ୍ଗକୁ ଅଘୋଷିତ ବିଜୁଳି କାଟ ସାଧାରଣଲୋକଙ୍କୁ ଆହୁରି ଅସୁବିଧାରେ ପକାଉଛି । ଲୋକେ ଖରାରୁ ମୁକ୍ତି ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବା ବେଳେ ପାନୀୟ ଜଳ ସମସ୍ୟାରେ କଷ୍ଟକୁ ଦ୍ୱିଗୁଣିତ କରୁଛି ।
ଏହାମଧ୍ୟ ପଢନ୍ତୁ.. କାଠ ଆଣିବାକୁ ଯାଇ ଫେରିଲେନି ଯୁବକ, ଅଶୁଂଘାତରେ ମୃତ୍ୟୁ ଆଶଙ୍କା - Youth Dies In Dhenkanal
ନୂଆପଡା ଜିଲ୍ଲାରେ ପ୍ରବଳ ଖରା ଦୀର୍ଘ 25 ବର୍ଷର ରେକର୍ଡ ଭାଙ୍ଗିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଏଭଳି ଖରା ଆଗରୁ କେବେ ହୋଇନଥିବା ଲୋକେ ପ୍ରକାଶ କରିଛନ୍ତି । ଖରାର ପ୍ରକୋପରେ ଲୋକେ ସକାଳ 7ଟାରୁ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ଅତି ଜରୁରୀ କାମରେ ଲୋକେ ପଦାକୁ ବାହାରି ଶୀଘ୍ର କାମ ସାରି ଘରମୁହାଁ ହେଉଛନ୍ତି । ଅତ୍ୟଧିକ ଗରମ କାରଣରୁ ଜିଲ୍ଲାରେ ଅନେକ ଲୋକେ ଅସୁସ୍ଥ ହୋଇ ପଡୁଥିବା ଅଭିଯୋଗ କରିଛନ୍ତି ।
ଏନେଇ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଗତ କିଛିଦିନ ହେବ ଜିଲ୍ଲାରେ ପ୍ରବଳ ଖରା ଜାରି ରହିଛି । ଖରାକୁ ଦୃଷ୍ଟିରେ ରଖି ଜନ ସଚେତନତା କରାଯାଇଛି । ଜନଗହଳି ସ୍ଥାନ ଗୁଡିକରେ ଜଳ ଛତ୍ର ବ୍ୟବସ୍ଥା କରାଯାଇଛି । ଅଂଶୁଘାତରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସ୍ୱତନ୍ତ୍ର ବେଡ଼ର ବ୍ୟବସ୍ଥା ରହିଛି । ପର୍ଯ୍ୟାପ୍ତ ମାତ୍ରାରେ ORS, ଔଷଧ ରହିଛି ।’ ଏଥି ସହ ତତକ୍ଷଣାତ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ହେମକାନ୍ତ ସାଏ କହିଛନ୍ତି ।
ଇଟିଭି ଭାରତ, ନୂଆପଡା