କଟକ:ପାରାଦ୍ବୀପ ବନ୍ଦରରୁ ଆଉ ଏକ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସାମୁଦ୍ରିକ ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ଦିନ ତଳେ ବନ୍ଦରରୁ ଚାଇନା ଜାହାଜକୁ ଗିରଫ କରାଯାଇଥିବା ବେଳେ ଏବେ ଇଜିପ୍ଟର ‘MV Wadi Albostan’ ନାମକ ଜାହାଜକୁ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ (PPA) ପକ୍ଷରୁ ଉକ୍ତ ଜାହାଜକୁ ଅଟକ ରଖାଯାଇଛି ।
କଣ ପାଇଁ ଗିରଫ ହେଲା ଜାହାଜ ?
ଇଜିପ୍ଟର ଏହି ଜାହାଜକୁ ଗିରଫ କରିବା ଲାଗି ଜର୍ମାନର ଏକ କମ୍ପାନୀ 'Elboil GMBH' ପକ୍ଷରୁ ମାମଲା ଦାଏର ହୋଇଥିଲା । ଏହି ଜାହାଜ ନିକଟରୁ ୩ କୋଟି ୯୬ ଲକ୍ଷ ୧୮ ହଜାର ୧୨୯ ଟଙ୍କା ୪୦ ପଇସା ଅର୍ଥ ଦାବିକରି ଆବେଦନକାରୀ ସଂସ୍ଥା ଏହି ମାମଲା ଦାୟର କରିଛି । ଲୋ ସଲଫର ମେରାଇନ ଗ୍ୟାସ ଅଏଲ ଯୋଗାଣକୁ ନେଇ ଏପରି ଦାବି କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି । ଜାହାଜଟି ପାରାଦ୍ବୀପ ବନ୍ଦରରୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ମୂଳ ମାମଲା ବିଚାରଧୀନ ଥିବାରୁ ଏହାକୁ ଗିରଫ କରିଵାକୁ ଆବେଦନକାରୀ ସଂସ୍ଥା କୋର୍ଟଙ୍କୁ ପ୍ରାର୍ଥନା କରିଥିଲା ।
ଅଗଷ୍ଟ 6ରେ ବନ୍ଦରରେ ଲାଗିଥିଲା ଇଜିପ୍ଟ ଜାହାଜ:-
ଇଜିପ୍ଟର ଜାହାଜ ଏମଭି ୱାଡି ଆଲବୋଷ୍ଟୋନ ଗତ ଅଗଷ୍ଟ 6 ତାରିଖରେ ପାରାଦ୍ବୀପ ବନ୍ଦରରେ ପହଞ୍ଚିଥିଲା । ପ୍ରାଥମିକ ସୂଚନା ଅନୁସାରେ ଜାହାଜଟି ବାଂଲାଦେଶରୁ ଆସିଛି । ଏହା 55ମେଟ୍ରିକ ଟନ୍ର ଆଇରନ ନେଇ ଚୀନ ଗସ୍ତ କରିବାର ଥିଲା । କିନ୍ତୁ ଏକ ଜର୍ମାନ କମ୍ପାନୀ ଅର୍ଥ ହେରଫେରକୁ ନେଇ ଜାହାଜ ମାଲିକଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।