ଭୁବନେଶ୍ୱର: ଦୀର୍ଘ ୧୫ ଦିନ ହେବ ଚିଟଫଣ୍ଡ କେଳେଙ୍କାରୀ ମାମଲାରେ ଇଡି ତଦନ୍ତ ନେଇ ବଢୁଛି ରାଜନୈତିକ ଛକାପଞ୍ଝା । ଆଗକୁ ନିର୍ବାଚନ ଥିବାବେଳେ ଏବେ ଚିଟଫଣ୍ଡ ତନାଘନା, ପାଓ୍ବାର କରିଡରର ହେବିଓ୍ବେଟଙ୍କ ପାଇଁ ବଢ଼ାଇଛି ଅଡୁଆ । ଇଡିରେ ହାଜର ହୋଇଥିବା ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ନେଇ ସଭିଙ୍କ ଭିତରେ ଛନକା ପଶିଲାଣି । କାରଣ ରାଜ୍ୟରେ ଚିଟଫଣ୍ଡ କେଳେଙ୍କାରୀରେ ଫସିଛନ୍ତି ମାଳ ମାଳ ନେତା । ରାଜନେତାଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ହେବିଓ୍ବେଟ, ଯିଏକି ପୂର୍ବରୁ ସିବିଆଇ ତନାଘନା ବେଳେ ଅନେକ ବାର ତଦନ୍ତ ପରିସରକୁ ଆସିଛନ୍ତି । ଏବେ ଦୀର୍ଘ ଦିନ ପରେ ଇଡିର ଆର୍ଥିକ କେଳେଙ୍କାରୀ ତନାଘନା ଦେଖି ସଭିଙ୍କ ଭିତରେ ଛନକା ପଶିଛି ।
ଗୋଟିଏ ପରେ ଗୋଟିଏ ଚିଟଫଣ୍ଡ ତଦନ୍ତର ଫାଇଲ ଖୋଲି ରେଡ୍ ଓ ସମନ କରିବା ଆରମ୍ଭ କରିଦେଇଛି ଇଡି । କେତେବେଳେ ଅଚାନକ ପଶି ସର୍ଚ୍ଚ ଅପରେସନ କରି ସିଜ୍ କରୁଛି ତ କେତେବେଳେ ଇଡି ଅଫିସ ଡକାଇ ଘଣ୍ଟା ଘଣ୍ଟା ରାତି ଅଧିଆ ଜେରା କରୁଛି । ଏହି କ୍ରମରେ ଦୀର୍ଘ ୧୫ ଦିନରେ ଅନେକ ହେବିଓ୍ବେଟ ଇଡିର ଦ୍ବାର ମାଡି ସାରିଲେଣି । ଇଡିର ତଦନ୍ତ ରୁମ ଦେଖି ଅନେକଙ୍କ ମଧ୍ୟରେ ଏବେଠୁ ଭାଳେଣି ପଡିଗଲାଣି । ଜଣଙ୍କ ପରେ ଜଣଙ୍କ ଘରେ ରେଡ ହେଉଛି । ରାତି ପାହିଲେ ନୂଆ ନୂଆ ନେତା, ବ୍ୟବସାୟୀ, କଣ୍ଟ୍ରାକ୍ଟର, ବିଲଡର ଆସି ଜେରାର ସାମ୍ନା କରୁଛନ୍ତି ।