ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଭୁବନେଶ୍ବରରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ତାଙ୍କ ସହ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବରିଷ୍ଠ ନେତା ଓ ଅଧିକାରୀମାନେ ସ୍ୱାଗତ କରିଛନ୍ତି ।
- ଭୁବନେଶ୍ବରରୁ କୋଣାର୍କ ଗଲେ ଜୟଶଙ୍କର ଦମ୍ପତି
ଉଭୟ କେନ୍ଦ୍ରମନ୍ତ୍ରୀ ଆଜି ସଂଧ୍ୟାରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଏସ ଜୟଶଙ୍କରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଆସିଛନ୍ତି । ଭୁବନେଶ୍ୱରରୁ ସେମାନେ ସିଧାସଳଖ କୋଣାର୍କ ଯାଇଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଇକୋ-ରିଟ୍ରିଟରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ।
- କାର୍ଯ୍ୟକ୍ରମ ସଫଳ ହେବ: ଜୟଶଙ୍କର
ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି," ଓଡ଼ିଶାରେ ବହୁତ ଭବ୍ୟ ଭାବେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋତେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିବେ । ପ୍ରଧାନମନ୍ତ୍ରୀ ଯେତେବେଳେ ଆସିବେ ଏହି କାର୍ଯ୍ୟକ୍ରମ ବହୁତ ସୁନ୍ଦର ଏବଂ ସଫଳ ହେବ ବୋଲି ମୋର ପୂରା ବିଶ୍ୱାସ ।’’
ଏହା ମଧ୍ୟ ପଢନ୍ତୁ:- ଓଡ଼ିଆ ଘରେ ରହିବେ, ଓଡ଼ିଆ ସଂସ୍କୃତିର ମଜା ନେବେ ପ୍ରବାସୀ ଭାରତୀୟ - PRAVASI BHARATIYA DIVAS ଚିଲିକା ବିହଙ୍ଗ ଉତ୍ସବ, ପ୍ରବାସୀ ଭାରତୀୟ ହେବେ ବ୍ରାଣ୍ଡ ଆମ୍ବାସଡର - CHILIKA BIHANGA UTSAV |