ବଲାଙ୍ଗୀର:ବିଜେଡି ପାଇଁ ବିବାଦୀୟ ବିଧାନସଭା ମଣ୍ଡଳୀ କଣ୍ଟାବାଞ୍ଜିରୁ ଶେଷରେ ପ୍ରାର୍ଥୀ ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଖବର ଆସିବା ପରେ କଣ୍ଟାବାଞ୍ଜି ବିଜେଡିରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଆଶାୟୀ ଏକ ହୋଇ ଦଳୀୟ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ଏଠି ଦଳରୁ ଆଶାୟୀ ଅନେକ ଥିବା ଯୋଗୁଁ ହୋଇଥିଲା ସମସ୍ୟା । ହେଲେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠୁ ପ୍ରାର୍ଥୀ ହେବା ପରେ ଏହି ବିବାଦର ଅନ୍ତ ଘଟିଛି । ସବୁ ଆଶାୟୀ ଏକ ହୋଇ ଏହାକୁ ସ୍ବାଗତ କରିଛନ୍ତି ।
ବଲାଙ୍ଗୀରର ବିଜେଡି ପାଇଁ ବିବାଦୀୟ ହୋଇଥିବା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଶାୟୀ ଅନେକ ଥିଲେ । ଏଠିକାର ଆଠ ଜଣ ଟାଣୁଆ ନେତା ଏଥର ଟିକେଟ୍ ଆଶା ରଖିଥିଲେ । ଯେଉଁଥିରେ ଦୌଡ଼ରେ ପୂର୍ବତନ ବିଧାୟକ ଆୟୁବ ଖାନ ଓ ବିଜେଡି ନେତା ଅଜୟ ଦାସ ଥିଲେ । ସେହିପରି କିଛି ଆଦିବାସୀ ବିଜେଡି ନେତା ମଧ୍ୟ ଏଥର ଦଳରୁ ଟିକେଟ ଆଶା ବାନ୍ଧି ଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଏଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ପରେ ଏହାର ଅନ୍ତ ଘଟିଛି । ଆଜି ଏହା ଘୋଷଣା ହେବା ପରେ ପ୍ରଥମ କରି ବିଜେଡିର ସବୁ ନେତା ଓ ଆଶାୟୀ ଏକାଠି ହୋଇ ଉତ୍ସବ ମନାଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ଲକ୍ଷାଧିକ ଭୋଟରେ ବିଜୟୀ କରିବେ ବୋଲି କହିଛନ୍ତି ।