ଦାଦନ ଶ୍ରମିକ ମାନଙ୍କୁ ଅକଥନୀୟ ନିର୍ଯ୍ୟାତନା, ଉଦ୍ଧାର ପାଇଁ ଭିଡିଓରେ ନିବେଦନ ବଲାଙ୍ଗୀର: ଜିଲ୍ଲାକୁ ମିଳୁନି ଦାଦନ ରୂପକ ଅଭିଶାପରୁ ମୁକ୍ତି । ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଇଟାଭାଟିରେ ବନ୍ଧକ ପଡିଛନ୍ତି ଦାଦନ ଶ୍ରମିକ । ମାଲିକର ଅକଥନୀୟ ନିର୍ଯାତନା ଯୋଗୁଁ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଏପରିକି ଜଣଙ୍କ ମୃତ୍ୟୁ ପରେ ମଧ୍ୟ ମାଲିକ ଛାଡୁ ନ ଥିବାର ସେମାନେ ଅଭିଯୋଗ ଆଣିଛନ୍ତି ଏବଂ ଭିଡିଓ ସନ୍ଦେଶ ମାଧ୍ୟମରେ ଉଦ୍ଧାର ପାଇଁ ସରକାର ଓ ପ୍ରଶାସନ ପାଖରେ ଦାବି କରିଛନ୍ତି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ମୁରିବହାଳ ବ୍ଲକ ଅନ୍ତର୍ଗତ ବାଲିଖମାର ଗ୍ରାମରୁ ।
ଏହା ମଧ୍ୟ ପଢନ୍ତୁ...ଦାଦନ ଜିଲ୍ଲା ବଲାଙ୍ଗୀର, ଜନଶୂନ୍ୟ ହୋଇପଡିଛି ଗାଁ
ଅଭିଯୋଗ ଅନୁସାରେ ବାଳିଖମାର ଗ୍ରାମ, ବେହେରା ଭଟା ଗ୍ରାମ ଓ ଜାମୁଟ ଝୁଲା ଗ୍ରାମରୁ 20ରୁ ଊର୍ଦ୍ଧ୍ବ ଗରିବ ପେଟ ପାଟଣା ପାଇଁ ବାହାର ରାଜ୍ୟ ତେଲେଙ୍ଗାନା ଦାଦନ ଖଟିବାକୁ ଯାଇଥିଲେ । ଦୀର୍ଘ କିଛି ମାସ ହେବ ପରିବାର ସହ ସେଠି ଏକ ଇଟାଭାଟିରେ ସେମାନେ କାମ କରୁଥିବା ବେଳେ ଇଟା ଭାଟି ମାଲିକ ସେମାନଙ୍କୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ସେମାନେ କହିଛନ୍ତି । ଏପରିକି ସେମାନଙ୍କ ମଧ୍ୟରୁ ଅନେକ ଅଜଣା ରୋଗରେ ପୀଡିତ ହୋଇଥିବା ବେଳେ ମାଲିକ ତାଙ୍କର ଚିକିତ୍ସା କରୁନଥିବାର ନିର୍ଯାତିତ ମାନେ କହିଛନ୍ତି । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗି ଥିବା ବେଳେ ଦେହ ଫୁଲି ଯାଇ ଦରଜ ମଧ୍ୟ ହୋଇଥିବାର ଏମାନେ କହିଛନ୍ତି । ଏପରିକି କିଛି ଦିନ ତଳେ ଜଣେ ଦାଦନ ଶ୍ରମିକ ଯୋଗେଶ୍ବର ରଣାଙ୍କ ମୃତ୍ୟୁ ହୋଇଥିବା ବେଳେ ତାକୁ ଇଟା ଭାଟିରେ ପୋଡ଼ି ସତ୍କାର ମାଲିକ କରିଛି ବୋଲି ଅଭିଯୋଗ କରିଛନ୍ତି ଦାଦନ ଶ୍ରମିକ ମାନେ ।
ଏକ ଭିଡିଓ ସନ୍ଦେଶ ସେମାନେ ଏଠି ତାଙ୍କ ପରିବାର ଲୋକଙ୍କୁ ପଠାଇବା ସହ ଶୀଘ୍ର ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ସେପଟେ ଗ୍ରାମରେ ଥିବା ଘରେ ଏକା ଥିବା ତାଙ୍କ ମାଆ ମଧ୍ୟ ଏହି ଭିଡିଓ ପାଇବା ପରେ ସରକାରଙ୍କ ପାଖରେ ଶୀଘ୍ର ଉଦ୍ଧାର ଦାବି କରିଛନ୍ତି । ତେବେ ତାଙ୍କ ପୁଅ ବୋହୁ ସେଠାରେ ଖୁବ ନିର୍ଯାତନା ପାଉଛନ୍ତି । ଏପରିକି ଜଣଙ୍କ ମୃତ୍ୟୁ ହୋଇ ସାରିଛି । ସେପଟେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନାହିଁ । ତେଣୁ କୌଣସି ଅଘଟଣ ପୂର୍ବରୁ ତାଙ୍କୁ ଉଦ୍ଧାର ପାଇଁ ଅସହାୟ ବୃଦ୍ଧା ଜଣକ ଦାବି କରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର