ପ୍ୟାରିସ୍ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତୀୟ ମହିଳା ବକ୍ସରଙ୍କୁ ମିଳିଛି କଡ଼ା ଚ୍ୟାଲେଞ୍ଜ । କାରଣ ଗୁରୁବାର ଏହି ଇଭେଣ୍ଟକୁ ଡ୍ର' ଘୋଷଣା କରିଦିଆଯାଇଛି । ଅର୍ଥାତ ଭାରତୀୟ ମହିଳା ବକ୍ସର ନିଖତ୍ ଜରିନ୍ ଏବଂ ଲଭଲିନା ବୋର୍ଗୋହେନଙ୍କୁ କଡ଼ା ମୁକାବିଲା ସାମ୍ନା କରିବାକୁ ହେବ । ମହିଳା 50 କିଲୋଗ୍ରାମ ବର୍ଗରେ ନିଖତ ଜରିନ 32 ରାଉଣ୍ଡରେ ଜର୍ମାନୀର ମ୍ୟାକ୍ସି କ୍ଲୋଏଜରଙ୍କୁ ଭେଟିବେ । ଡ୍ର' ଗେମ୍ ଟୁର୍ଣ୍ଣାମେଣ୍ଟ ଅନୁଯାୟୀ, ଦୁଇଥର ବିଶ୍ୱ ଚମ୍ପିଆନ୍ ହୋଇଥିବା ନିଖତ 16 ତମ ରାଉଣ୍ଡରେ ଚୀନ୍ର ଡିଫେଣ୍ଡିଂ ଏସୀୟ ଗେମ୍ସ ଚମ୍ପିଆନ୍ ୱୁ ୟୁଙ୍କୁ ସାମ୍ନା କରିପାରନ୍ତି ।
ଲଭଲିନା ବୋର୍ଗୋହେନ: ଲଭଲିନାଙ୍କ ପାଇଁ ମଧ୍ୟ ପଦକ ରାସ୍ତା ଏତେ ସହଜ ହେବନାହିଁ । ସେ ମହିଳା 75 କିଲୋଗ୍ରାମ ବର୍ଗରେ ନରୱେର ସୁନ୍ନିଭା ହଫଷ୍ଟେଡଙ୍କୁ ଭେଟିବେ । ଏହାପରେ ସେ କ୍ୱାର୍ଟର ଫାଇନାଲରେ ଚୀନ୍ର ଲି କିଆନ୍ଙ୍କୁ ଭେଟି ପାରନ୍ତି । ଯାହା ତାଙ୍କ ରାସ୍ତାକୁ ଆହୁରି କଠିନ କରିଦେଇପାରେ ।
ନିଖତ ଜରିନ:ନିଖତଙ୍କ ସମ୍ଭାବ୍ୟ ପ୍ରତିଦ୍ବନ୍ଦ୍ବୀ ଚୀନର ୱୁ ୟୁ ବିଶ୍ବରେ ତାଙ୍କ ବର୍ଗର ଶୀର୍ଷ ମାନ୍ୟତାପ୍ରାପ୍ତ ବକ୍ସର ଅଟନ୍ତି ଏବଂ 52 କିଲୋଗ୍ରାମରେ ବର୍ତ୍ତମାନର ବିଶ୍ୱ ଚମ୍ପିଆନ୍ ମଧ୍ୟ ଅଟନ୍ତି । ଯଦି ଚୀନର ଏହି ହେଭିୱେଟ୍ଙ୍କ ଚ୍ୟାଲେଞ୍ଜକୁ ନିଖତ ମାତ ଦେଇ ଆଗକୁ ବଢ଼ନ୍ତି, ତେବେ ସେ କ୍ୱାର୍ଟର ଫାଇନାଲରେ ଥାଇଲାଣ୍ଡର ଚୁଥାମତ ରକ୍ସତ କିମ୍ବା ଉଜବେକିସ୍ତାନର ସବିନା ବବୋକୁଲୋଭାଙ୍କୁ ଭେଟିବେ । ଚଳିତ ବର୍ଷ ଆରମ୍ଭରେ ଖେଳାଯାଇଥିବା ଷ୍ଟ୍ରେଣ୍ଡଜା ମେମୋରିଆଲ ଫାଇନାଲରେ ନିଖତ ବବୋକୁଲୋଭାଙ୍କ ବିପକ୍ଷରେ ପରାଜୟ ବରଣ କରିଥିଲେ । ଏଥିସହ ଗତବର୍ଷ ଏସୀୟ କ୍ରୀଡ଼ା ସେମିଫାଇନାଲରେ ମଧ୍ୟ ନିଖତଙ୍କୁ ପରାସ୍ତ କରିଥିଲେ ଥାଇଲାଣ୍ଡର ଚୁଥାମତ ରକ୍ସତ । ତେଣୁ ଉଭୟ ଚ୍ୟାଲେଞ୍ଜ ଭାରତୀୟ ବକ୍ସରଙ୍କ ଲାଗି କଷ୍ଟସାଧ୍ୟ ରହିପାରେ ।
ଜସ୍ମିନ ଲେମ୍ବୋରାଇ: ମହିଳା 57 କିଲୋଗ୍ରାମ ବର୍ଗରେ ଫିଲିପାଇନ୍ସର ଟୋକିଓ 2020 ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ନେଷ୍ଟି ପେଟେସିଓଙ୍କ ବିପକ୍ଷରେ ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିବେ ଭାରତୀୟ ମହିଳା ବକ୍ସର ଜସ୍ମିନ ଲେମ୍ବୋରାଇ । ଯଦି ଏହି ବାଜି ଜିତନ୍ତି, ତେବେ ଜସ୍ମିନ ପରବର୍ତ୍ତୀ ରାଉଣ୍ଡରେ ଫ୍ରାନ୍ସର ତୃତୀୟ ରାଙ୍କପ୍ରାପ୍ତ ଅମିନା ଜିଦାନିଙ୍କୁ ଭେଟିବେ ।