ଲାହୋର:ବୁଧବାର ଚାମ୍ପିଅନ୍ସ ଟ୍ରଫିରେ ଏକ ରୋମାଞ୍ଚକର ମୁକାବିଲା ଦେଖିଲେ ଦର୍ଶକ । ଇଂଲଣ୍ଡକୁ 8 ରନରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫିରୁ ବିଦା କଲା ଆଫଗାନିସ୍ତାନ । ବିଜୟ ରନ ଲକ୍ଷ୍ୟର ପିଛା କରି ପଛରେ ପଡିଗଲା ବଟଲର ବାହିନୀ । ଫଳରେ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ମ୍ୟାଚରେ ବି ଦଳକୁ ପରାସ୍ତ ହେବାକୁ ପଡିଛି । ଧୂଆଁଧାର ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ ଧୋଇଲେ ଇବ୍ରାହିମ ଜାଡ୍ରାନ । 146 ବଲରେ ସେ 177 ରନର ଜବରଦସ୍ତ ପାଳି ଖେଳି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ରେକର୍ଡ କରିଛନ୍ତି। ଆଜମାତୁଲ୍ଲା ଓମାରଜାଇ ସର୍ବାଧିକ 5ଟି ଓ୍ବିକେଟ ନେଇଛନ୍ତି ।
ସେମିରୁ ଇଂଲଣ୍ଡ ଆଉଟ:
ଗତକାଲି ଗଦ୍ଦାଫି ଷ୍ଟାଡିୟମ୍ ଷ୍ଟାଡିୟମରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଦୁଇ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବ ପୂର୍ଣ୍ଣଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନ । ଯାହା ଦଳକୁ ବରଦାନ ସାବ୍ୟସ୍ତ ହୋଇଥିଲା । 50 ଓଭରରେ ଦଳ 7 ଓ୍ବିକେଟ ହରାଇ 325 ରନ କରିଥିଲା । ଏହାପରେ 326 ରନ ବିଜୟ ଲକ୍ଷ୍ୟ ପିଛା କରି ପଡିଆକୁ ଓହ୍ଲାଇଥିଲା ଇଂଲଣ୍ଡ । କିନ୍ତୁ ଆଫଗାନିସ୍ତାନର ଘାତକ ବୋଲିଂର ସାମ୍ନା କରିନପାରି ଲୟ ହରାଇଥିଲେ ଇଂଲଣ୍ଡ ବ୍ୟାଟର । ଶେଷରେ 317 ରନରେ ଅଲଆଉଟ ହୋଇ ପରାସ୍ତ ହୋଇଥିଲା । ପାକିସ୍ତାନ, ବାଂଲାଦେଶ ପରେ ତୃତୀୟ ଦଳ ଭାବେ ଚାମ୍ପିଅନ୍ସ ଟ୍ରଫି ସେମି ରେସରୁ ବାଦ ପଡିଲା ଇଂଲଣ୍ଡ ।
ବ୍ୟକ୍ତିଗତ ରନ କରିବାରେ ଇବ୍ରାହିମଙ୍କ ରେକର୍ଡ:
ଇଂଲଣ୍ଡର ପେସ ଆଟାକରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଫଗାନିସ୍ତାନକୁ ରନ୍ କରିବା ମୁସକିଲ ହୋଇଥିଲେ ମଧ୍ୟ ପରେ ପାଳି ସମ୍ଭାଳି ନେଇଥିଲେ ଓପନର ଇବ୍ରାହିମ । ଇଂଲଣ୍ଡର ବୋଲରଙ୍କୁ ସେ ପୁରା ଧୋଇ ଦେଇଥିଲେ । 146 ବଲରେ ସେ 177 ରନ କରିଥିଲେ । ଏଥିରେ 6ଟି ଛକା ଓ 12ଟି ଚୌକା ସାମିଲ ରହିଛି । ତାଙ୍କର ଏହି ଜବରଦସ୍ତ ପାଳି ତାଙ୍କୁ ଏକ ନୂଆ ରେକର୍ଡର ଅଧିକାରୀ କରିଛି । ଚାମ୍ପିଅନ୍ସ ଟ୍ରଫିରେ ବ୍ୟକ୍ତିଗତ ରନ କରିବାରେ ସବୁଠାରୁ ଆଗରେ ଇବ୍ରାହିମ । ଏହି ରେକର୍ଡ ଇଂଲଣ୍ଡର ବେନ୍ ଡକେଟ (165)ଙ୍କ ନାମରେ ଥିଲା, ଚଳିତ ସିଜିନରେ ସେ ଏହି ରେକର୍ଡ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହଶମତୁଲ୍ଲା ଶାହିଦି 40, ଆଜମାତୁଲ୍ଲା ଓମାରଜାଇ 41, ଓ ମହମ୍ମଦ ନବୀ 40 ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫିର ସର୍ବାଧିକ 3ଟି ଓ୍ବିକେଟ ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫିରୁ ପାକିସ୍ତାନ ବିଦା, ସେମିରେ ଭାରତ-ନ୍ୟୁଜିଲାଣ୍ଡ - NEW ZEALAND QUALIFY FOR SEMIFINAL
ଏହା ବି ପଢନ୍ତୁ- ଚାମ୍ପିଅନ୍ସ ଟ୍ରଫିରେ ବିରାଟଙ୍କ ଶତକ; ୱେଡିଂ ରିଙ୍ଗକୁ କଲେ କିସ୍, ଖୁସିରେ ଝୁମିଲେ ଅନୁଷ୍କା - ANUSHKA SHARMA ON VIRAT KOHLI 100
କାମ ଦେଲାନି ଜୋ ରୁଟଙ୍କ ଶତକ:
ଦଳକୁ ବିଜୟୀ କରିବା ପାଇଁ ଇଂଲଣ୍ଡର ଜୋ ରୁଟ ବହୁ ସଂଘର୍ଷ କରି ଶତକ ହାସଲ କରିଥିଲେ । ସେ 111 ବଲରେ 120 ରନ କରିଥିଲେ । ଏଥିରେ 11 ଚୌକା ଓ ଗୋଟିଏ ଛକା ସାମିଲ ରହିଛି । କିନ୍ତୁ ତାଙ୍କର ଏହି ଶତକ ଦଳକୁ ବିଜୟୀ କରିବାରେ ସମର୍ଥ ହେଲାନାହିଁ । ଅନ୍ୟମାନଙ୍କ ମଧ୍ୟରେ ବେନ ଡକେଟ 38, ବଟଲର 38 ରନ କରିଥିଲେ । ଆଫଗାନ ପକ୍ଷରୁ ଆଜମାତୁଲ୍ଲା ଓମାରଜାଇ ଘାତକ ବୋଲିଂ କରିଥିଲେ । ସେ ସର୍ବାଧିକ 5ଟି ଓ୍ବିକେଟ ନେଇ ଇଂଲଣ୍ଡକୁ ଧରାଶାୟୀ କରିଦେଇଥିଲେ ।