ବ୍ରହ୍ମପୁର: ଆଉ ନାହାଁନ୍ତି ଓଡିଶା ରାଜନୀତିର ବର୍ଷିୟାନ ରାଜନେତ୍ରୀ ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ ଦେଓ । ଦୀର୍ଘ ଦିନ ଧରି ଅସୁସ୍ଥତା ଥିବା ରାଣୀ ମା’ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଣୀଙ୍କ ନିଧନ ଖବର ପାଇବା ପରେ ମ୍ରିୟମାଣ ଜନତା । ଶୋକରେ ରାଜ୍ୟବାସୀ । ଦିନେ ଯେଉଁ ରାଜବାଟୀରେ ପ୍ରଜାଙ୍କ ଭାଗ୍ୟ ଭବିଷ୍ୟତ ନିର୍ଦ୍ଧାରଣ ହେଉଥିଲା, ଏବେ ସେହି ରାଜବାଟୀରେ ରାଣୀଙ୍କ ଶେଷ ଦର୍ଶନ ପାଇଁ ଲାଗିଛି ଭିଡ । ଓଡିଶା ବିଧାନସଭାକୁ 10 ଥର ନିର୍ବାଚିତ ହୋଇଥିବା ଅପ୍ରତିଦ୍ବନ୍ଦୀ ନେତ୍ରୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ କାର୍ଯ୍ୟଶୈଳୀ ଯେପରି ଭିନ୍ନ ଥିଲା ରାଜ୍ୟ ରାଜନୀତିରେ ବି ସେମିତି ପ୍ରଭାବ ଥିଲା । କାରଣ 10 ଥର ବିଧାୟକ ସତ୍ତ୍ବେ କେବେ କୌଣସି ସରକାରରେ ମନ୍ତ୍ରୀ ହୋଇନଥିଲେ । ମଜାରେ ମଜାରେ କହୁଥିଲେ ମୁଁ ପରା ରାଣୀ... ମନ୍ତ୍ରୀ କଣ ହେବି...ନାରୀ ଶିକ୍ଷାକୁ ଗୁରୁତ୍ବ ଦେଉଥିବା ରାଣୀ ଜିଲ୍ଲାର ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ କରିଯାଇଛନ୍ତି ଅନେକ ବିକାଶ ।
ଅଧିକ ପଢନ୍ତୁ- ଆରପାରିରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ
10 ଥର ହୋଇଥିଲେ ବିଧାୟକ:ଖଲ୍ଲିକୋଟ ରାଜପ୍ରସାଦର ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓ । ସମସ୍ତଙ୍କର ଅତି ପରିଚିତ ସୁଜ୍ଞାନ ଦେଓ । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀକୁ ମିଶାଇ ୧୦ ଥର ବିଧାୟିକା ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । କେବଳ ଜଣେ ବିଧାୟିକା ଭାବରେ ନୁହେଁ ରାଜ୍ୟ ରାଜନୀତିରେ ରାଣୀ ମା’ଙ୍କର ରହୁଥିଲା ପ୍ରମୁଖ ଭୂମିକା । ଓଡିଶାର ବିଭିନ୍ନ ମହିଳା ନେତ୍ରୀ ମାନଙ୍କ ମଧ୍ୟରେ ଖଲ୍ଲିକୋଟର ରାଣୀ ସାହେବାଙ୍କ ରାଜନୈତିକ ଜୀବନଶୈଳୀ ଦେଖିଲେ କେବଳ ଆମ ରାଜ୍ୟ କାହିଁକି ସମଗ୍ର ଦେଶରେ ଏକ ବିରଳ ।
ରାଜନୀତିରେ ପ୍ରବେଶ: ଖଲ୍ଲିକୋଟ ମର୍ଦ୍ଦରାଜ ରାବଂଶର କୁଳବଧୂ ଭାବରେ ରାଣୀ ହୋଇ ଜୀବନ ବିତାଇବା ଅପେକ୍ଷା ରାଜନୀତିକୁ ଆସି ସିଧାସଳଖ ସମାଜରେ ସାଧାରଣ ଜନତାଙ୍କ ସେବା କରିବାକୁ ସେ ନିଜର ବ୍ରତ ଭାବେ ଧରି ନେଇଥିଲେ l ନିଜ ଶ୍ବଶୁର ସ୍ବର୍ଗତ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବିୟୋଗ ପରେ 1963 ମସିହାରେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଓଡିଶା ବିଧାନସଭାସଭାକୁ ପ୍ରଥମେ ନିର୍ବାଚିତ ହୋଇଥିଲେ l ଏହା ପରେ 1974, 1977,1985,1990, 1995, 2000 ଓ 2004 ନିର୍ବାଚନରେ କ୍ରମାଗତ ଭାବରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ ରାଣୀ ସାହେବା l
କବି ସୂର୍ଯ୍ୟନଗରରୁ ବି ହୋଇଥିଲେ ବିଜୟୀ:1963 ମସିହାରୁ 2004 ପର୍ଯ୍ୟନ୍ତ ଖଲ୍ଲିକୋଟ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଥିବା ରାଣୀ ସାହେବାଙ୍କ ଆସନ କିନ୍ତୁ 2009 ମସିହାରେ ବଦଳି ଯାଇଥିଲା। ସୀମା ପୁନଃ ନିର୍ଦ୍ଧାରଣ ପରେ ଖଲ୍ଲିକୋଟ ଆସନ ସଂରକ୍ଷିତ ରହିଥିଲା । ଫଳରେ ରାଣୀ ସୁଜ୍ଞାନ ଦେଓ 2009 ଓ 2014 ରେ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ବିଧାନସଭାକୁ । ଲଗାତର ଭାବେ ଓଡିଶା ବିଧାନସଭାକୁ ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି ।