ଭୁବନେଶ୍ବର:ବିଜେପିର ବଡ଼ ମିଶନ । ଆରମ୍ଭ ହେବ ବିଜେପିର ସଦସ୍ୟତା ଅଭିଯାନ। ଦେଶବ୍ୟାପୀ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଯାଇଛି । ଶନିବାର ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସଭାପତିତ୍ବରେ ବସିଥିଲା ପଦାଧିକାରୀ ବୈଠକ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ବୈଠକରେ ଯୋଗ ଦେଇଥିଲେ ।
ବିଜେପିର ବଡ଼ ମିଶନ; ଆରମ୍ଭ କରିବ ସଦସ୍ୟତା ଅଭିଯାନ (ETV Bharat Odisha) ଦିଲ୍ଲୀରେ ବସିଛି ବୈଠକ:-
ବିଜେପି ଆରମ୍ଭ କରିବ ସଦସ୍ୟତା ଅଭିଯାନ । ତା' ପୂର୍ବରୁ ରାଜ୍ୟ, ଜିଲ୍ଲା, ମଣ୍ଡଳ ଏବଂ ବୁଥ ସ୍ତରରେ କର୍ମକର୍ତ୍ତାଙ୍କୁ ନେଇ ଦଳ ପକ୍ଷରୁ ହେବ ସ୍ଵତନ୍ତ୍ର କର୍ମଶାଳା । ଦିଲ୍ଲୀରେ ବୈଠକ ସରିଛି । ଏଥିରେ ରାଜ୍ୟ ସଭାପତି ଯୋଗ ଦେଇଥିଲେ । ଦିଲ୍ଲୀରୁ ଫେରିବା ପରେ ପ୍ରତିକ୍ରିୟାରେ କହିଛନ୍ତି, "ଆସନ୍ତାକାଲି ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ସବୁ ଜିଲ୍ଲା ସଭାପତି ଏବଂ ଜିଲ୍ଲା ସଦସ୍ୟତା କମିଟି ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ହେବେ । ଅପରାହ୍ନରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ରାତ୍ରି ଭୋଜନ ପର୍ଯ୍ୟନ୍ତ ଚାଲିବ ବୈଠକ ।"
ସେପ୍ଟେମ୍ବର 1ରେ ଆରମ୍ଭ ସଦସ୍ୟତା ଅଭିଯାନ:-
ସଦ୍ୟସତା ଅଭିଯାନ ପୂର୍ବରୁ ଦଳୀୟ କର୍ମୀଙ୍କ ପାଇଁ ଆୟୋଜିତ ହେବ କର୍ମଶାଳା । ଏ ନେଇ ମନମୋହନ କହିଛନ୍ତି, "ଆସନ୍ତାକାଲି ଏହି କର୍ମଶାଳା ସରିବା ପରେ 22, 23 ଏବଂ 24 ତାରିଖରେ ଜିଲ୍ଲା ସ୍ତରରେ କର୍ମଶାଳା ହେବ । ତାପରେ 25, 26 ଏବଂ 27 ତାରିଖ ମଣ୍ଡଳ ସ୍ତରରେ ହେବ କର୍ମଶାଳା । ଜିଲ୍ଲା ପରିଷଦ ୟୁନିଟ, ଏନଏସି, ମ୍ୟୁନିସିପାଲିଟିର ମଣ୍ଡଳ ୟୁନିଟରେ ହେବ । ତାପରେ 31 ତାରିଖ ସୁଦ୍ଧା ବୁଥ ସ୍ତର ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ପାଇଁ କର୍ମଶାଳା ଶେଷ ହେବ । ସେପ୍ଟେମ୍ବର 1 ତାରିଖ ଦିନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ସଦସ୍ୟତା ଗ୍ରହଣ କଲା ପରେ ରାଜ୍ୟ, ଜିଲ୍ଲା ସ୍ତରରେ ଆରମ୍ଭ ହେବ ସଦସ୍ୟତା ଅଭିଯାନ ।"
ଏହା ବି ପଢନ୍ତୁ- ‘ବିଜେପିର ସଦସ୍ୟତାରେ 7 କୋଟି ବୃଦ୍ଧି, 11 କୋଟି ହେବ 18 କୋଟି’
ଓଡ଼ିଶାରେ 1କୋଟି ସଦସ୍ୟ ଲକ୍ଷ୍ୟ:-
ଓଡ଼ିଶାରେ 1 କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯିବ । ଏଥିପାଇଁ ଲୋକଙ୍କ ପାଖକୁ ଯାଇ ଲୋକ ସମ୍ପର୍କ କରିବେ କର୍ମକର୍ତ୍ତା । ସଦସ୍ୟ ହେବା ପାଇଁ ଜଣେ 18ବର୍ଷରୁ ଅଧିକ ହୋଇଥିବା ଦରକାର । ବରିଷ୍ଠ ନେତା ରଞ୍ଜନ ପଟେଲଙ୍କ ଓଡ଼ିଶାରେ ସଦସ୍ୟତା ଅଭିଯାନ ମୁଖ୍ୟ ଭାବେ ନିଯୁକ୍ତ କରିଛି ଦଳ । ପ୍ରତି ବୁଥରେ 200ରୁ 250 ସଦସ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । 100 ସଦସ୍ୟ କରିଥିବା କର୍ମୀମାନେ ସକ୍ରିୟ ସଦସ୍ୟ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ । ପୂର୍ବରୁ 25ହଜାର ସକ୍ରିୟ ସଦସ୍ୟ ଥିଲେ । ଏଥର 1ଲକ୍ଷ ସକ୍ରିୟ ସଦସ୍ୟ ପାଇଁ ଦଳ ଟାର୍ଗେଟ ରଖିଛି ବୋଲି ମନମୋହନ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର