ନ୍ୟୁୟର୍କ: "ପାକିସ୍ତାନ ଏକ ଅସଫଳ ଦେଶ, ଯିଏ ଅନ୍ତର୍ଜାତୀୟ ଦାନରେ ବଞ୍ଚିଛି, ଆତଙ୍କବାଦୀ ଦ୍ୱାରା ପ୍ରଚାରିତ ମିଥ୍ୟା ତଥ୍ୟ ପ୍ରସାରଣ କରୁଛି ।" ବୁଧବାରଜେନେଭାରେ ଅନୁଷ୍ଠିତ ମିଳିତ ଜାତିସଂଘ ମାନବାଧିକାର ପରିଷଦର ୫୮ତମ ଉଚ୍ଚସ୍ତରୀୟ ବୈଠକରେ କାଶ୍ମୀର ମୁଦ୍ଦାରେ ପାକିସ୍ତାନ ଉପରେ ଜୋରଦାର ବର୍ଷିଛି ଭାରତ ।
'ପାକିସ୍ତାନ ଏକ ଅସଫଳ ଦେଶ, ଯିଏ ଅନ୍ୟ ଦେଶର ଦାନରେ ବଞ୍ଚିଛି'
ମିଳିତ ଜାତିସଂଘରେ ୫୮ତମ ମାନବାଧିକାର ପରିଷଦ ବୈଠକରେ ଭାରତର କୁଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ଭାରତ ପକ୍ଷରୁ ପାକିସ୍ତାନକୁ ଜୋରଦାର ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ପାକିସ୍ତାନ ଏକ ଅସଫଳ ଦେଶ, ଯିଏ ଅନ୍ୟ ଦେଶର ଦାନ ଉପରେ ବଞ୍ଚିଛି ।" ଏଭଳି ଦେଶ ଭାରତକୁ ଉପଦେଶ ନଦେବା ଉଚିତ୍ । ଜମ୍ମୁ- କାଶ୍ମୀର ଓ ଲଦାଖ ପ୍ରସଙ୍ଗରେ ପାକିସ୍ତାନ ବାରମ୍ବାର ଭାରତ ଉପରେ ଅଙ୍ଗୁଳି ଉଠାଉଥିବା ବେଳେ ଏହାର କଡା ଜବାବ ରଖିଛି ଭାରତ ।
ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ:
କୁଟନୀତିଜ୍ଞ କ୍ଷିତିଜ ତ୍ୟାଗୀ କହିଛନ୍ତି," ଭାରତ, ପାକିସ୍ତାନର ନିରାଧାର ଓ ଦୁର୍ଭାଗ୍ୟପୂର୍ଣ୍ଣ ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖୁଛି । ପାକିସ୍ତାନର ତଥାକଥିତ ନେତା ଓ ପ୍ରତିନିଧିମାନେ ନିଜର ସାମରିକ ଆତଙ୍କବାଦୀ ସଂଗଠନ ଦ୍ୱାରା ପ୍ରଚାରିତ ମିଥ୍ୟା ତଥ୍ୟକୁ ପ୍ରସାର କରିବାରେ ଲାଗିଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦାୟକ ।
"ଜମ୍ମୁ-କାଶ୍ମୀର ଓ ଲଦାଖ ସର୍ବଦା ଭାରତର ଅଭିନ୍ନ ଓ ଅବିଭାଜ୍ୟ ଅଙ୍ଗ ରହିବ । ଗତ କିଛି ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀରରେ ହୋଇଥିବା ଅଭୂତପୂର୍ବ ରାଜନୀତିକ, ସାମାଜିକ ଓ ଆର୍ଥିକ ପ୍ରଗତି ନିଜେ ହିଁ ଏହିସବୁ ବୟାନ କରୁଛି । ଏହି ସଫଳତାଗୁଡିକ ଦଶନ୍ଧି ଧରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଦ୍ୱାରା ଜର୍ଜରିତ ଏହି ଅଞ୍ଚଳରେ ସ୍ୱାଭାବିକତା ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଲୋକଙ୍କର ବିଶ୍ୱାସର ପ୍ରମାଣ ।"
ଏହାମଧ୍ୟ ପଢନ୍ତୁ... |