ହାଇଦ୍ରାବାଦ: ସାଧାରଣତଃ ନବଜାତ ଶିଶୁ ରାତିରେ ସହଜରେ ଶୁଅନ୍ତି ନାହିଁ । ଏଥିପାଇଁ ବାପାମାଆଙ୍କୁ ଖୁବ୍ ହଇରାଣ ହେବାକୁ ପଡେ । ନବଜାତ ଶିଶୁଙ୍କ କୌଣସି ଟାଇମ୍ ଟେବୁଲ ନଥାଏ । ଯେତେବେଳେ ମନ ହୁଏ କ୍ଷୀର ପିଅନ୍ତି । ଅଧିକ ସମୟ ଶୋଇରୁହନ୍ତି ଓ କମ୍ ସମୟ ଜାଗ୍ରତ ରହନ୍ତି । ଖାସ୍ କରି ରାତିରେ ନବଜାତ ଶିଶୁ ବହୁତ କମ୍ ସମୟ ଶୋଇଥାନ୍ତି । ଜନ୍ମର ପ୍ରାୟ 6 ମାସ ପର୍ଯ୍ୟନ୍ତ ଏମିତି ଚାଲିଥାଏ । ଶିଶୁମାନେ ମନଇଚ୍ଛା ଶୁଅନ୍ତି ଓ ଉଠନ୍ତି । ଏମିତି ବି ଅନେକ ଶିଶୁ ଅଛନ୍ତି ଯେଉଁମାନେ ରାତିରେ ଆଦୌ ଶୁଅନ୍ତି ନାହିଁ । ଏଥିପାଇଁ ମାଆର ନିଦ ପୁରା ହୋଇପାରେ ନାହିଁ ଓ ସେ ସାରା ଦିନ ଚିଡ୍ଚିଡା ଅନୁଭବ କରନ୍ତି ।
ଶିଶୁମାନେ ରାତିରେ ନ ଶୋଇବା ବା କମ୍ ଶୋଇବା ଏକ ସାଧାରଣ କଥା । ତେବେ ବିଭିନ୍ନ ଉପାୟ ଅଛି, ଯାହାଦ୍ବାରା ଶିଶୁଙ୍କୁ ଭଲ ନିଦରେ ସହାୟକ ହୋଇପାରେ । ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା କଥା, ନବଜାତ ଶିଶୁଙ୍କୁ ରାତିରେ ନିଦ ନ ଆସିବା ପଛରେ ଅନେକ ଛୋଟ ଛୋଟ କାରଣ ରହିଛି, ଯେମିତିକି-
ଅଧିକ କ୍ଷୀର ପିଆଇବା: ଡାକ୍ତର ଶର୍ମିଲା କହିଛନ୍ତି, ଶିଶୁମାନେ ରାତିରେ ନ ଶୋଇବାର କାରଣ ଅଧିକ କ୍ଷୀର ପିଆଇବା ହୋଇପାରେ । ଅଧିକ କ୍ଷୀର ପିଇବା ଦ୍ବାରା ନବଜାତ ଶିଶୁକୁ କୋଷ୍ଠକାଠିନ୍ୟ ଓ ଝାଡା ଭଳି ସମସ୍ୟା ହୋଇଥାଏ । ସେହିପରି ଡବା କ୍ଷୀର ପିଉଥିବା ଶିଶୁଙ୍କଠାରେ ଅଧିକ ନିଦ ସମସ୍ୟା ଦେଖାଯାଏ ।
କମ୍ କ୍ଷୀର ପିଆଇବା: ଡାକ୍ତରଙ୍କ କହିବା କଥା, ଶିଶୁଟି ଆବଶ୍ୟକ ପରିମାଣରେ କ୍ଷୀର ନ ପିଇଲେ ବା ପେଟ ପୁରିନଥିଲେ ମଧ୍ୟ ରାତିରେ ଶୋଇପାରେ ନାହିଁ । ଶିଶୁର ପେଟ ଛୋଟ ଓ ମାଆ କ୍ଷୀର ଶୀଘ୍ର ହଜମ ହୋଇଯାଏ । ଏହି କାରଣରୁ ତାକୁ ଜଲ୍ଦି ଭୋକ ଲାଗେ । ଭୋକ ଲାଗିଲେ ତାକୁ ନିଦ ଆସେ ନାହିଁ ଓ ସେ କାନ୍ଦିଥାଏ । ତେଣୁ ଯଦି ଆପଣ ନିଜ ଶିଶୁକୁ କିଛି ସମୟ ବ୍ୟବଧାନରେ କ୍ଷୀରପାନ କରାଉଛନ୍ତି ତାହେଲେ ସେ ଆରାମରେ ଶୋଇଯାଏ ।
ଅତ୍ୟଧିକ ଉତ୍ତେଜନା:ଶିଶୁମାନେ ଖୁବ୍ ସମ୍ବେଦନଶୀଳ ହୋଇଥାନ୍ତି । ଅଧିକ ଉତ୍ତେଜନା ବା ଶବ୍ଦ ତାଙ୍କ ନିଦରେ ବାଧା ଦେଇଥାଏ ।
ଅସୁସ୍ଥତା:ନବଜାତ ଶିଶୁ ଅନ୍ୟନ୍ତ ସମ୍ବେଦନଶୀଳ ହୋଇଥିବା କାରଣରୁ ସବୁବେଳେ କିଛି ନା କିଛି ସମସ୍ୟା ଅନୁଭବ କରେ । ଥଣ୍ଡା, କଫ, ପେଟ ଯନ୍ତ୍ରଣା ଯୋଗୁଁ ମଧ୍ୟ ଶିଶୁ ରାତିରେ ଶୋଇପାରେ ନାହିଁ । ତେଣୁ କ'ଣ ସମସ୍ୟା ହେଉଛି, ତାହାକୁ ଧ୍ୟାନ ରଖିବା ସହ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ।