ହାଇଦ୍ରାବାଦ:ଆଜି ମେ’ ୩, ହିନ୍ଦୀ ସିନେମାର ଭେଟେରାନ ଦିବଙ୍ଗତ ଅଭିନେତ୍ରୀ ନର୍ଗିସ ଦତ୍ତଙ୍କ ୪୩ତମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ସଞ୍ଜୟ ଦତ୍ତ ପୁଣି ଥରେ ତାଙ୍କ ମା’ଙ୍କ ସ୍ମୃତିରେ ଭାବୁକ ହୋଇଛନ୍ତି । ଏହି ଅବସରରେ ସେ ନିଜ ମାଆଙ୍କ ଅଭୁଲା ସ୍ମୃତିକୁ ମନେ ପକାଇଛନ୍ତି । ସେ କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରି ମାଆଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଛନ୍ତି ।
ସଞ୍ଜୟ ଦତ୍ତ ମାତା ନର୍ଗିସଙ୍କ ସହ ନିଜର ତିନୋଟି ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, ''ମିସ୍ ୟୁ ମା’, ଯଦିଓ ତୁମେ ଏଠାରେ ନାହଁ, କିନ୍ତୁ ତୁମର ଉପସ୍ଥିତି ପ୍ରତି ମୁହୂର୍ତ୍ତରେ ଅନୁଭବ ହୁଏ । ମୁଁ ତୁମକୁ ବହୁଲ ଭଲ ପାଏ ।'' ସେୟାର ହୋଇଥିବା ଫଟୋରେ ସଞ୍ଜୟ ଦତ୍ତ ତାଙ୍କ ପିଲାଦିନ ଏବଂ ଯୌବନର ଫଟୋ ତାଙ୍କ ମାଙ୍କ ସହ ସେୟାର କରିଛନ୍ତି । ସୂଚନା ଥାଉ କି, ନର୍ଗିସ ୫୦ବର୍ଷ ବୟସରେ କର୍କଟ ରୋଗରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ନର୍ଗିସ୍ ଦତ୍ତଙ୍କ କ୍ୟାରିଅର
ନର୍ଗିସ୍ ଦତ୍ତ ତିନି ଦଶନ୍ଧି ଧରି ଚଳଚ୍ଚିତ୍ରରେ କାମ କରିଛନ୍ତି । ମାତ୍ର ୬ ବର୍ଷ ବୟସରେ ଫିଲ୍ମ 'ତାଲାଶ୍-ଏ-ହକ୍' ଚଳଚ୍ଚିତ୍ର ଆରମ୍ଭ କରିଥିଲେ। ୧୪ ବର୍ଷ ବୟସରେ, ନର୍ଗିସ୍ ମେହବୁବ ଖାନଙ୍କ ଫିଲ୍ମ 'ତକଦିର'ରେ ଲିଡ ଷ୍ଟାର ଭାବରେ କାର୍ଯ୍ୟ କରିଥିଲେ ଏବଂ ଏହି ଫିଲ୍ମଟି ହିଟ୍ ହୋଇଥିଲା । ୧୯୪୨ ମସିହାରେ, ନର୍ଗିସ୍ ଚଳଚ୍ଚିତ୍ର 'ତମନ୍ନା' ସହ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୧୯୫୮ ମସିହାରେ, ନର୍ଗିସ୍ ତାଙ୍କ ମଦର ଇଣ୍ଡିଆର ସହ-ଅଭିନେତା ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ । ଉଭୟଙ୍କର ତିନୋଟି ସନ୍ତାନ ରହିଛନ୍ତି- ସଞ୍ଜୟ ଦତ୍ତ, ପ୍ରିୟା ଦତ୍ତ ଏବଂ ନମ୍ରତା ଦତ୍ତ । ତେବେ ତାଙ୍କ ପରିବାର ପାଇଁ ସେ ଅଭିନୟ ଛାଡିଥିଲେ । କିନ୍ତୁ ୧୯୬୭ରେ ତାଙ୍କୁ ଶେଷ ଥର ପାଇଁ ସତ୍ୟନ ବୋଷଙ୍କ ନାଟକ 'ରାତ ଔର ଦିନ'ରେ ଦେଖିବାକୁ ମିଳିଥିଲା । ଏଥିପାଇଁ ସେ ଏକ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ ।
ଏହା ମଧ୍ୟ ପଢନ୍ତୁ:ଏକାଠି ଧମାଲ ମଚାଇବେ 4 ସୁପରଷ୍ଟାର୍
କର୍କଟ ରୋଗରେ ଆଖି ବୁଜିଥିଲେ ନର୍ଗିସ
୧୯୮୦ ରେ ନର୍ଗିସ୍ ରାଜ୍ୟସଭାରେ ମନୋନୀତ ହୋଇଥିଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ନ୍ୟୁୟର୍କରେ ମଧ୍ୟ ଚିକିତ୍ସିତ ହୋଇଥିଲେ । କିଛି ସମୟ ପରେ ସେ ଭାରତକୁ ଫେରିଗଲେ ଏବଂ ମୁମ୍ୱାଇ ଫେରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା ଏବଂ ପରେ ସେ କୋମାରେ ରହିଲେ । ଶେଷରେ ମେ ୩, ୧୯୮୧ରେ, ଭେଟେରାନ ଅଭିନେତ୍ରୀ ଦୁନିଆକୁ ଅଲବିଦା କହିଥିଲେ । ନର୍ଗିସଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସଞ୍ଜୟ ଦତ୍ତଙ୍କ ଡେବ୍ୟୁ ଫିଲ୍ମ 'ରକି' ମୁକ୍ତିଲାଭ କରିଥିଲା । ଏହି ସମୟରେ ଥିଏଟରରେ ଗୋଟିଏ ସିଟ୍ ନର୍ଗିସଙ୍କ ପାଇଁ ରଖାଯାଇଥିଲା ।