ନୂଆଦିଲ୍ଲୀ:ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକରଙ୍କ ରାୟ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଉଦ୍ଧବ ଠାକରେ ଗୋଷ୍ଠୀ କରିଥିବା ମାମଲାର ଆଜି ଶୁଣାଣି ହୋଇପାରିନାହିଁ । ଆଜି ଏହି ମାମଲାର ଶୁଣାଣି ତାରିଖ ଥିଲେ ସୁଦ୍ଧା ସମୟ ଅଭାବରୁ ଶୁଣାଣି କରାଯାଇପାରିନି । ଶୁକ୍ରବାର ଏହି ମାମଲାର ଶୁଣାଣି କରାଯିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକଙ୍କ ସଭ୍ୟପଦ ଖାରଜ କରିବାକୁ ମନା କରିବା ଓ ସିନ୍ଦେ ଗୋଷ୍ଠୀକୁ ହିଁ ମୁଖ୍ୟ ଶିବସେନା ଘୋଷଣା କରିବା ନେଇ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ରାୟ ଦେଇଥିଲେ । ଏହାକୁ ସର୍ବୋଚ୍ଚ କୋର୍ଟରେ ଉଦ୍ଧବ ଗୋଷ୍ଠୀ ଚ୍ୟାଲେଞ୍ଜ କରିଥିଲା ।
ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପାରଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ବେଞ୍ଚରେ ହେବାର ଥିଲା । ହେଲେ ସମୟ ଅଭାବ ହେତୁ ଆଜି ଏହି ମାମଲାର ଶୁଣାଣି କରାଯାଇ ପାରିନି । ବେଞ୍ଚ ସୂଚାଇ ଦେଇଛନ୍ତି ଯେ, ଶୁକ୍ରବାର ଏହି ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇପାରେ । ଗତ ମାସରେ ସୁପ୍ରିମକୋର୍ଟ ବାଚସ୍ପତିଙ୍କ ରାହୁଲ ନରଓ୍ବେକରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁନୀଲ ପ୍ରଭୁ (ଠାକରେ ଦଳର ନେତା)ଙ୍କ ଦ୍ବାରା କରାଯାଇଥିବା ଏବି ଆବେଦରେ ସିନ୍ଦେ ଏବଂ ତାଙ୍କ ଦଳର 38 ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଥିଲେ ।
ବର୍ଷ 2022 ଜୁନରେ ମହାବିକାଶ ଅଗାଡ଼ି ମେଣ୍ଟ ସହଯୋଗରେ ସରକାର କରିଥିବା ଶିବସେନାରେ ବିଦ୍ରୋହ ଦେଖାଯାଇଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକମାନେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରାହ କରିବା ସହ ନିଜକୁ ମୁଖ୍ୟ ଶିବସେନା ବୋଲି ଦାବି କରିଥିଲେ । ନାଟକୀୟ ଢଙ୍ଗରେ ଗୃହରେ ସଂଖ୍ୟା ବହୁମତ ପ୍ରମାଣିତ ହେବା ପୂର୍ବରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସିନ୍ଦେ ସମର୍ଥିତ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଠନ କରିବା ସହ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।