ନୂଆଦିଲ୍ଲୀ:ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିଲେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନ ବିଧାନସଭା ପରିସରରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ମାଡାମ ସୋନିଆ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ଥାନରେ କଂଗ୍ରେସରୁ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହେବେ । ସୋନିଆ ଗାନ୍ଧୀ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସରା ଉପସ୍ଥିତ ରହିଥିଲେ ।
ସୋନିଆଙ୍କ ନାମାଙ୍କନ ଦାଖଲକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସରା କହିଛନ୍ତି, "ଏହି ନିଷ୍ପତ୍ତି ଆମକୁ ଶକ୍ତି ପ୍ରଦାନ କରିବ । ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଆମେ ନିର୍ବାଚନ ଲଢିବୁ ଏବଂ ବିଜୟ ହାସଲ କରିବୁ । ଆମେ ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ । ରାହୁଲ ଗାନ୍ଧୀଙ୍କୁ ଆମ ଦେଶର ମୁଖ୍ୟମନ୍ତ୍ରୀ କରାଇବା ଆମର ଲକ୍ଷ୍ୟ ।" ରାଜସ୍ଥାନ, ମହାରାଷ୍ଟ୍ର, ବିହାର, ହିମାଚଳ ପ୍ରଦେଶର ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ରାଜସ୍ଥାନରୁ ସୋନିଆ ଗାନ୍ଧୀ, ବିହାରରୁ ଅଖିଳେଶ ପ୍ରତାପ ସିଂ, ହିମାଚଳରୁ ଅଭିଷେକ ମନୁ ସିଂହଭି ଏବଂ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟସଭା ନିର୍ବାଚନ: ନାମାଙ୍କନ ଭରିବା ପାଇଁ ଜୟପୁରରେ ସୋନିଆ ଗାନ୍ଧୀ, ସାଥିରେ ଅଛନ୍ତି ରାହୁଲ