ନୂଆଦିଲ୍ଲୀ:କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମଧ୍ୟ ସୀମାନ୍ତ ରାଜ୍ୟରେ ପାକିସ୍ତାନୀ ଡ୍ରୋନ ଠାବ ହେବା ଘଟଣାରେ କୌଣସି ରୋକ ଲାଗୁନି । ପଞ୍ଜାବର ଗୁରୁଦାସପୁର ନିକଟବର୍ତ୍ତୀ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛି ଭାରତୀୟ ସୀମା ସୁରକ୍ଷା ବଳ । ଗତକାଲି ରାତିରେ ଏହି ଅପରେସନରେ ସଫଳତା ମିଳିଛି । ଉଦ୍ଧାର ହୋଇଥିବା ଡ୍ରୋନ ଚୀନ ନିର୍ମିତ ଓ ଏହା ସର୍ଭିଲାନ୍ସ ବା ଗୁପ୍ତଚରଗିରି କରିବା ଉଦ୍ଦେଶ୍ୟରେ ଭାରତୀୟ ସୀମାକୁ ପ୍ରେରଣ କରାଯାଇଥିବା ସନ୍ଦେହ କରାଯାଉଛି । ଏହାକୁ ପାକିସ୍ତାନୀ ସେନା କିମ୍ବା ଆତଙ୍କବାଦୀ ଭାରତୀୟ ସୀମାରେ ପ୍ରବେଶ କରାଯାଇଥିବା ପ୍ରାୟତଃ ସ୍ପଷ୍ଟ ହୋଇଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୁରୁଦାସପୁରର ଏକ ସୀମାନ୍ତ ଗ୍ରାମରେ ଏହି ଡ୍ରୋନ ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନେ ଏହି ଡ୍ରୋନ ଦେଖିବା ପରେ ସ୍ଥାନୀୟ ପୋଲିସ ଓ ବିଏସଏଫ ପୋଷ୍ଟକୁ ସୂଚନା ଦେଇଥିଲେ । ବିଏସଏଫ ଯବାନମାନେ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ । ଏହାକୁ ଜବତ କରାଯିବା ପରେ ଏହା ଏକ ଚୀନ ନିର୍ମିତ (DJI Mavic 3 Classic) ବର୍ଗର ଡ୍ରୋନ ବୋଲି ଜଣାପଡିଛି । ତେବେ ଏହି ଡ୍ରୋନରୁ କୌଣସି ପ୍ରକାର ନିଶାଦ୍ରବ୍ୟ ସାମଗ୍ରୀ ଜବତ କରାଯାଇନି । ତେଣୁ ଏହା କୌଣସି ନିଶା ମାଫିଆଙ୍କ କାମ ନୁହେଁ ବରଂ ଏହା ପଛରେ ପାକିସ୍ତାନୀ ଆତଙ୍କବାଦୀ କିମ୍ବା ସେନାର ଭୂମିକା ଥିବା ସନ୍ଦେହ କରାଯାଉଛି ।