ହାଇଦ୍ରାବାଦ: ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ମିଡିଆ ଟାଇକୁନ ତଥା ରାମୋଜୀ ଗ୍ରୁପ ପ୍ରତିଷ୍ଠାତା-ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି (ଶନିବାର) ଭୋର ପ୍ରାୟ 4ଟା 50 ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ଦେହାନ୍ତର ଖବର ପାଇବା ମାତ୍ରେ ରାମୋଜୀ ରାଓଙ୍କର ପୈତୃକ ଗ୍ରାମ ପେଦାପାରୁପୁଡିରେ ଶୋକର ମାହୋଲ ସୃଷ୍ଟି ହୋଇଛି । ଦୁଃସମ୍ବାଦ ଶୁଣି ହତପ୍ରଭ ହୋଇଥିବା ଗ୍ରାମବାସୀ ମାନେ 'ଜୋହାର ରାମୋଜୀ ରାଓ' ର ସ୍ଲୋଗାନ ଦେଇଥିଲେ ଓ ପେଦାପାରୁପୁଡି ଗାଁରେ ମିଡିଆ ଜଗତର ବେତାଜ ବାଦଶାହ ରାମୋଜୀ ରାଓଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିଜର ପୈତୃକ ଗ୍ରାମରେ ସେ କରିଥିବା ଉନ୍ନତିମୂଳକ କାମ ଓ ସେବା ପାଇଁ ତାଙ୍କର ଅବଦାନକୁ ମନେପକାଇ ପ୍ରଂଶସା କରିଥିଲେ ଗ୍ରାମବାସୀ ।
ସରପଞ୍ଚୀ ଚପାଡି ସମୀରା, ରାମୋଜୀ ରାଓଙ୍କ ବନ୍ଧୁ ପାଲାଡୁଗୁ ଚନ୍ଦ୍ରଶେଖର ତଥା ଗାରାପତି ବାବୁ ରାଓ, ରତ୍ନପ୍ରସାଦ (ନାନି), କଙ୍ଗଲା ପାର୍ବତୀ, ନାଗାବୋଇନା ଶ୍ରୀନିବାସ ରାଓ, ପାଲାଡୁଗୁ ସନ୍ଧ୍ୟାରାଣୀ , ଲାବଣ୍ୟା, ନାଗାବୋଇନା ରମ୍ମନା ଓ ଅନ୍ୟ ଗ୍ରାମବାସୀ ମାନେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପମ୍ମାରୁ ବିଧାୟକ ଭର୍ଲା କୁମାର ରାଜା ରାମୋଜୀ ରାଓଙ୍କ ଦେହାନ୍ତକୁ ନେଇ ଶୋକ ପ୍ରକଟ କରିଛନ୍ତି । ସେ କହିଛନ୍ତି ," ଏକ ସାଧାରଣ ପରିବାରରେ ଜନ୍ମ ନେଇ ଅସାଧାରଣ ସଫଳତା ପାଇଥିବା ରାମୋଜୀ ରାଓଙ୍କ ନିଧନରେ ଅତି ମର୍ମାହତ ହୋଇଛି । ରାମୋଜୀ ରାଓ ତେଲୁଗୁ ରାଜ୍ୟ ତଥା ଦେଶ ପାଇଁ ଅନେକ ସେବା ଓ ଅବଦାନ ରହିଛି । ସେ ତେଲୁଗୁ ଲୋକମାନଙ୍କ ଜୀବନରେ ବେଶ ପ୍ରଭାବଶାଳୀ ଛାପ ଛାଡିଛନ୍ତି । ରାମୋଜୀ ରାଓଙ୍କ ମୃତ୍ୟୁ କେବଳ ତେଲୁଗୁ ଲୋକଙ୍କ ପାଇଂ ନୁହେଁ ବରଂ ଦେଶ ପାଇଁ ଏକ ବିରାଟ କ୍ଷତି । " ସେ ନିଜର ଗାଁ ପେଦାପାରୁଗୁଡିରେ ଅନେକ ବିକାଶମୂଳକ କାମ କରିଥିବା ବେଳେ ସେଠାକାର ଯୁବବର୍ଗଙ୍କ ପାଇଁ ରୋଜଗାରର ଅବସର ଯୋଗାଇଦେଇଥିଲେ । ବିଧାୟକ କୁମାର ରାଜା ରାମୋଜୀ ରାଓଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।