ETV Bharat / state

ନାମାଙ୍କନ ଭରିଲେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଓ ବିଭୂତି ବଳବନ୍ତରାୟ - BJD Candidates Nomination

author img

By ETV Bharat Odisha Team

Published : Apr 30, 2024, 11:02 PM IST

BJD CANDIDATES NOMINATION
BJD CANDIDATES NOMINATION

BJD CANDIDATES NOMINATION: ନାମାଙ୍କନ ଭରିଲେ ବିଜେଡିର ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଓ ଜଟଣୀ ପ୍ରାର୍ଥୀ ବିଭୂତି ବଳବନ୍ତରାୟ । ବଡ଼ ବ୍ୟବଧାନରେ ବିଜୟୀ ହେବେ ବୋଲି ଉଭୟ ନେତା ଦୃଢ଼ୋକ୍ତି ବାଢ଼ିଛନ୍ତି । ଅଧିକ ପଢ଼ନ୍ତୁ

BJD CANDIDATES NOMINATION

ଭୁବନେଶ୍ବର: ବିଜେଡିର ଦୁଇ ବିଧାୟକ ପ୍ରାର୍ଥୀ ଆଜି ଭୁବନେଶ୍ବରରେ ନାମାଙ୍କନ ଭରିଛନ୍ତି । ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବିଜେଡିର ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ସହ ବିରାଟ ଶୋଭାଯାତ୍ରାରେ ଯାଇ ଉଭୟ ନାମାଙ୍କନ ଭରିଛନ୍ତି । ଆସନ୍ତା ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହେବେ ବୋଲି ଉଭୟ ନେତା ଦୃଢ଼ୋକ୍ତି ବାଢ଼ିଛନ୍ତି ।

ଉତ୍ତର ଭୁବନେଶ୍ବର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଆଜି ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ଅଫିସକୁ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପାଇଁ ବିଶାଳ ଶୋଭାଯାତ୍ରା କରି ଚାଲି ଚାଲି ଯାଇଥିଲେ ସୁଶାନ୍ତ । ମାଉସୀ ମା' ମନ୍ଦିରରୁ କର୍ମୀ ଓ ସମର୍ଥକଙ୍କ ସହ ଆସି ଦ୍ବିତୀୟ ଥର ପାଇଁ ନାମାଙ୍କନ ଭରିଲେ ସୁଶାନ୍ତ । ୨୦୧୯ରେ ବିଜେଡି ଟିକେଟରୁ ଲଢ଼ି ବିଧାୟକ ଅଛନ୍ତି ସୁଶାନ୍ତ । ଦଳ ପୁଣିଥରେ ଏଠାରୁ ତାଙ୍କ ଉପରେ ଭରସା କରି ଭୁବେନେଶ୍ବର ଉତ୍ତରରୁ ବିଧାୟକ ପ୍ରାର୍ଥୀ କରିଛି । ସୁଶାନ୍ତଙ୍କ ନାମାଙ୍କନ ଦାଖଲବେଳେ ତାଙ୍କ ସହିତ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ଦଳର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ ।

ନାମାଙ୍କନ ଭରିବା ପରେ ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, "ରାମେଶ୍ବରଙ୍କ ଆଶୀର୍ବାଦ ନେଇ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛି । ବଡ଼ ବ୍ୟବଧାନରେ ବିଜୟ ହେବୁ ବୋଲି ଆଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବହୁ ଉନ୍ନୟନମୂଳକ କାର୍ଯ୍ୟ ସାରା ରାଜ୍ୟ ସମେତ ଉତ୍ତର ନିର୍ବାଚନ ମଣ୍ଡଳୀରେ ଚାଲିଛି । ଆଗାମୀ ଦିନରେ ଏହାକୁ ଅଧିକ ତ୍ବରାନ୍ବିତ କରିବା ଲକ୍ଷ୍ୟ ରହିଛି । ଏଥର ଡବଲ ଶଙ୍ଖ ହେବ ବୋଲି ଆଶା । ଉତ୍ତର ନିର୍ବାଚନ ମଣ୍ଡଳୀ ସହ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ବିଜେଡି ବିଜୟ ଲାଭ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ - Naveen files nomination

ସେହିପରି ହଜାର ହଜାର ସମର୍ଥକଙ୍କ ସହିତ ଏଡିଏମଙ୍କ ଅଫିସରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଜଟଣୀ ବିଜେଡିର ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ । କଂଗ୍ରେସରୁ ସସପେଣ୍ଡ ହୋଇଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଆଶୀର୍ବାଦ ନେଇ ଆସିଥିଲେ । ରାଜଭବନ ଛକରୁ ବିଭୂତି ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ନାମାଙ୍କନ ଭରିବା ପରେ ବିଭୂତି କହିଛନ୍ତି, "ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଫାଇଟ ହେବନାହିଁ । ଏକତରଫା ବିଜୟ ହେବ । ଜନସାଧାରଣ ବିଜେଡିକୁ ସମର୍ଥନ ଦେବାକୁ ମନସ୍ଥ କରି ସାରିଲେଣି । ବ୍ୟାଘାତ ହୋଇଥିବା ବିକାଶ ତ୍ବରାନ୍ବିତ ହେବ । ଯିଏ ସାଂସଦ ଅଛନ୍ତି, ତାଙ୍କର ଅସଲ ମୁଖା ଖୋଲି ସାରିଛି ।" ଆଜି ଉଭୟ ନେତାଙ୍କ ନାମାଙ୍କନବେଳେ ଭୁବେନେଶ୍ବର ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.